Share :
୭୬ ବର୍ଷ ବୟଷରେ ପଦାର୍ପଣ କରିଥିବା ଇଂ.ଜଲାଲ୍‌ ଆଦେନୀ ଏକାଧାରରେ ଜଣେ ପ୍ରଯୋଜକ, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଗୀତିକାର, ଅଭିନେତା ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି୤ ୧୯୩୬ ମସିହା ଜୁନ୍‌ ୨୩ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରଠାରେ ଜନ୍ମିତ ଶ୍ରୀଯୁକ୍ତ ଆଦେନୀ ଖଲିକୋଟ ମହାବିଦ୍ୟାଳୟ ଓ ଯାଦବପୁର ବିଶ୍ବବିଦ୍ୟାଳୟରେ ନିଜର ଶିକ୍ଷା ସମାପ୍ତ କରିଥିଲେ୤

ସମ୍ପ୍ରତି ଇଂ.ଆଦେନୀ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ ଓ ଆଦେନୀ ମ୍ୟୁଜିକ୍‌ ନାମରେ ଏକ ମ୍ୟୁଜିକ୍‌ କମ୍ପାନୀର ପ୍ରତିଷ୍ଠା କରି ଏହାର ପରିଚାଳନା ଦାୟିତ୍ବରେ ରହିଛନ୍ତି୤ ଜୀବନର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ଶ୍ରୀ ଆଦେନୀ ଆଜି ବି ଚଳଚଞ୍ଚଳ୤ ସ୍ବଭାବରେ ସର୍ବଦା ଖୁସ୍‌ମିଜାଜ୍‌ ଶ୍ରୀ ଆଦେନୀଙ୍କ ସରଳ, ହସହସ ଓ ଅମାୟିକ ବ୍ୟବହାର ହିଁ ସମସ୍ତଙ୍କୁ ତାଙ୍କଆଡ଼କୁ ଆକର୍ଷିତ କରିଥାଏ୤ ଆଜିର ଦୌଡ଼ ପ୍ରତିଯୋଗିତାର ଭିଡ଼ଠାରୁ ସେ ବହୁ ଦୂରରେ୤ ନିଜର ସ୍ବତନ୍ତ୍ରତାକୁ ନେଇ ସେ ଆତ୍ମସନ୍ତୋଷରେ ଅଛନ୍ତି୤ ପ୍ରତିଯୋଗିତା ଓ ପୁରସ୍କାରର ଲାଳସା ତାଙ୍କ କଳାତ୍ମକ ସୃଷ୍ଟିକୁ ଦୁର୍ବଳ କରିପାରିନାହିଁ୤ ଅନ୍ୟପକ୍ଷରେ ଶ୍ରୋତାମାନେ ତାଙ୍କ ସଙ୍ଗୀତର ତରଙ୍ଗ ପ୍ରତି ବିଶେଷ ଭାବେ ଦୁର୍ବଳ ହେବାର ଦେଖାଯାଇଛି୤ ୧୯୭୪ ରେ ତାଙ୍କ ନିର୍ମିତ ଓ ସଙ୍ଗୀତ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଅନୁତାପ’ର ସେଇ ନିଦୁଆ ମାଦକ ଭରା ଗୀତ ‘ନିଦ ଭରା ରାତି ମଧୁଝରା ପ୍ରୀତି’କୁ ଯଦି ଆଜି ବି କେହି ଶୁଣେ, ସେ ସଙ୍ଗୀତର ଯାଦୁରେ ମତୁଆଲା ହେବା ସ୍ବାଭାବିକ୤

(୧) ଇଞ୍ଜିନିୟରିଂ ବୃତ୍ତିରୁ ଆପଣ ସଙ୍ଗୀତ ଓ ଚଳଚ୍ଚିତ୍ର ନିର୍ଦ୍ଦେଶନାର ଯାତ୍ରା ପ୍ରତି କେମିତି ମନ ବଳାଇଲେ ?

ଛୋଟବେଳୁ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପଢ଼ିବା ସମୟରେ ହିଁ ଏହି ଦିଗପ୍ରତି ମୋର ରୁଚି ବଢ଼ିଥିଲା୤ ଏଥିପାଇଁ ମୁଁ ବିଶେଷ ଜଣାଶୁଣା ବି ଥିଲି୤ ବାପାଙ୍କ ଜିଦ୍‌ ଯୋଗୁଁ ଇଞ୍ଜିନିୟରିଂ ପଢ଼ି ରେଳବାଇ ଚାକିରିରେ ଭର୍ତ୍ତି ହେଲି ଏବଂ ୧୯୬୨ ମସିହାରେ କଲିକତାରେ ରେଳବାଇ ଚାକିରି କରିବା ସମୟରେ ଏହି ରୁଚି ଯୋଗୁଁ ସେଠାକାର ଷ୍ଟୁଡ଼ିଓମାନଙ୍କୁ ମୋର ଯିବାଆସିବା ଚାଲିଥିଲା୤ ସେଠାରେ କାର୍ଯ୍ୟରତ ପ୍ରଖ୍ୟାତ୍‌ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍‌ ରାୟ, ମୃଣାଳ ସେନ୍‌, ପ୍ରଭାତ ମୁଖାର୍ଜୀ ଓ ତପନ ସିହ୍ନାଙ୍କ ସାନିଧ୍ୟରେ ଆସି ଏହି ଦିଗପ୍ରତି ମୋର ରୁଚି ଓ ଦୁର୍ବଳତା ଆହୁରି ବଢ଼ିଯାଇଥିଲା୤ ତେଣୁ ଏଇଠାରୁ ମୋର ଚଳଚ୍ଚିତ୍ର ଓ ସଙ୍ଗୀତ ଯାତ୍ରାର ଆରମ୍ଭ ହୋଇଥିଲା ବୋଲି ମୁଁ ଭାବେ୤

(୨) ଚଳଚ୍ଚିତ୍ର ନିର୍ମାଣ ଏବଂ ନିର୍ଦ୍ଦେଶନାର ଆରମ୍ଭ କିପରି ହୋଇଥିଲା ?

ରେଳବାଇ ଚାକିରୀ କରିବାର ୪ ବର୍ଷ ପରେ ଚାକିରୀ ଛାଡ଼ିଲି କେବଳ ଏଇ ସଙ୍ଗୀତ ଓ ଚଳଚ୍ଚିତ୍ରର ନିର୍ଦ୍ଦେଶନା ନିଶା ଯୋଗୁଁ୤ ୧୯୬୫ ମସିହାରେ ଚଳଚ୍ଚିତ୍ରରେ ସଂଘର୍ଷ ପାଇଁ ମୁମ୍ବାଇ ଯାଇଥିଲି୤ ପୁଣି ୧୯୬୬ ମସିହାରେ ବ୍ରହ୍ମପୁର ଫେରିଆସି ଏଠାରେ ଡ୍ରାମା ଓ ସଙ୍ଗୀତ ଇତ୍ୟାଦିରେ ମନଦେଲି୤ ପରେ ୧୯୬୮ ମସିହାରେ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ପାଇଁ ଅଣ୍ଟା ଭିଡ଼ି ‘କିଏ ବୁଝିବ’ ନାମକ ଏକ ଚଳଚ୍ଚିତ୍ର ନିର୍ମାଣ ଯୋଜନା କଲି୤ ଏଥିରେ ମୁଁ ପ୍ରଯୋଜନା, ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନାର ଭାର ତୁଲାଇଲି୤ ସେହି ସମୟରେ ନାଟ୍ୟକାର ବିଜୟ ମିଶ୍ର ଏହାର ଚିତ୍ରନାଟ୍ୟ ଓ ନାଟ୍ୟକାର ରମେଶ ପାଣିଗ୍ରାହୀ ଗୀତ ରଚନାର ଦାୟିତ୍ବ ତୁଲାଇଥିଲେ୤ କିନ୍ତୁ ଦୁର୍ଭାଗ୍ୟବଶତଃ ସୁଟିଂ ହେବା ଆଗରୁ ଏହି ପ୍ରକଳ୍ପଟି ବନ୍ଦ ହୋଇଯାଇଥିଲା୤ ତଥାପି ମୁଁ ଆଶା ହରାଇ ନଥିଲି୤ ପୁଣି ୧୯୭୪ ମସିହାରେ ମୁଁ କଟକ ଚାଲିଆସି ସେଠାରେ ଏକ ଇଲେକ୍ଟ୍ରିକାଲ୍‌ କାରଖାନା ଆରମ୍ଭ କଲି୤ ବଞ୍ଚିବା ପାଇଁ ଜୀବନ ସଂଘର୍ଷ ସହିତ ପୁଣି ୧୯୭୫ ମସିହାରେ ମୋର ଦ୍ବିତୀୟ ଚଳଚ୍ଚିତ୍ର(ଓଡ଼ିଆ) ‘ଅନୁତାପ’ର କାର୍ଯ୍ୟ ଆରମ୍ଭ କଲି୤ ହେଲେ ନିୟତିର ମୋ ପ୍ରତି ବିଚାର ଥିଲା ବଡ଼ ବିଚିତ୍ର୤ ଆର୍ଥିକ ଅନାଟନ ଓ ଅନ୍ୟ ସମସ୍ୟା ଯୋଗୁଁ ଏହି ଚଳଚ୍ଚିତ୍ରଟି ୧୯୭୫ ମସିହାରେ ମଧ୍ୟ ଅଟକି ଯାଇଥିଲା୤ ତଥାପି ଏତେବଡ଼ ଅନ୍ଧକାର ମଧ୍ୟରୁ ପ୍ରଭୁ ଶ୍ରୀଜଗନ୍ନାଥ ଟିକିଏ ଆଲୋକ ଦେଖାଇଲା ଭଳି ୧୯୭୬ ରେ ଅନ୍ୟ ଏକ କମ୍ପାନୀ ଏହି ଚଳଚ୍ଚିତ୍ରର ନିର୍ମାଣ ଭାର ହାତକୁ ନେଲେ୤ ଭଗବାନଙ୍କ ଦୟାରୁ ଏହା ନିର୍ମାଣ ହୋଇ ୧୯୭୭ ମସିହାରେ ମୁକ୍ତିଲାଭ କରିଥିଲା୤

(୩) ଓଡ଼ିଆ ଚଳଚ୍ଚିତ୍ର ‘ଅନୁତାପ’ ହିଁ ଆପଣଙ୍କ ପରିଚୟ ତିଆରି କଲା୤ ସେ ବିଷୟରେ କିଛି କୁହନ୍ତୁ୤

ହଁ ୧୯୭୭ ମସିହାରୁ ହିଁ ମୋର ପେସାଦାର ଚଳଚ୍ଚିତ୍ର ଓ ସଙ୍ଗୀତ ନିର୍ଦ୍ଦେଶନାର ବୃତ୍ତି ଆରମ୍ଭ ହେଲା କହିଲେ ଚଳେ୤ ଆଉ ‘ଅନୁତାପ’ ଚଳଚ୍ଚିତ୍ର ହିଁ ମତେ ଆଜି ବି ବଞ୍ଚାଇ ରଖିଛି୤ ଯାହାର ସେଇ ଗୀତଟି ‘ନିଦଭରା ରାତି ମଧୁଝରା ଜହ୍ନ’ର ଅପୂର୍ବ ସଫଳତା ହିଁ ମୋର ପରିଚୟକୁ ରାତାରାତି ବଦଳାଇ ଦେଇଥିଲା୤ ଏହି ଚଳଚ୍ଚିତ୍ରରେ ମୋର ପ୍ରଥମ ଆବିର୍ଭାବ ହିସାବରେ ମୁଁ ଜଣେ ସଫଳ ସଙ୍ଗୀତ ନିର୍ଦ୍ଦେଶକ ମାନ୍ୟତା ହାସଲ କଲି୤ ପ୍ରସିଦ୍ଧ ଗାୟିକା ନିର୍ମଳା ମିଶ୍ରଙ୍କ କଣ୍ଠର ଯାଦୁରେ କଲିକତାର ଟେକ୍‌ନିସିଆନ୍‌ ଷ୍ଟୁଡ଼ିଓରେ ଏହାର ଗୀତ ରେକର୍ଡ଼ିଂ ହୋଇ ଅଗଣିତ ସ୍ରୋତାଙ୍କ ଶ୍ରଦ୍ଧାଭାଜନ ହୋଇପାରିଥିଲା୤ ଏହି ଚଳଚ୍ଚିତ୍ରର ମୁଖ୍ୟଭୂମିକାରେ ସୌଦାମିନୀ, ସୁରେଶ ମିଶ୍ର, ବାବିବାବୁ, ଶ୍ୟାମଳେନ୍ଦୁ, ଝରଣା ଦାସ, ଦୀପା ସାହୁ ଓ ପ୍ରୀତି ପଟ୍ଟନାୟକ ଆଦି ଅଭିନୟ କରିଥିଲେ୤ ଏଥିରେ କଣ୍ଠଦାନ କରିଥିଲେ ଗାୟିକା ନିର୍ମଳା ମିଶ୍ର, ତାନ୍‌ସେନ୍‌ ସିଂହ, ଜୁବିନ୍‌ ଆଦେନୀ, କେ. ଭାନୁମତି, କୁମୁଦିନୀ ମିଶ୍ର, ଭିକାରୀ ବଳ ଏବଂ ମୁଁ ନିଜେ ୤

(୪) ‘ଅନୁତାପ’ ପରେ ଆଉ କିଛି ଚଳଚ୍ଚିତ୍ର ବିଷୟରେ କିଛି କୁହନ୍ତୁ?

ହଁ ୧୯୮୦ ରେ ନିର୍ମିତ ‘ହୀରା ମୋତି ମାଣିକ’୤ ଯେଉଁଥିରେ ମୁଁ ଚଳଚ୍ଚିତ୍ର ନିର୍ଦ୍ଦେଶକର ଦାୟିତ୍ବ ତୁଲାଇଥିଲି୤ ପରେ ପରେ ତୃତୀୟ ଚଳଚ୍ଚିତ୍ର ‘ପୂଜାରିଣୀ’୤ ଏହି ଚଳଚ୍ଚିତ୍ରର ଗୀତ ଖୁବ୍‌ ଲୋକପ୍ରିୟ ହୋଇ ବଜାରରେ ଚାହିଦା ହେଲା, କିନ୍ତୁ ଚିତ୍ରଟି ମୁକ୍ତିଲାଭ କରିପାରି ନଥିଲା୤ ‘ହୀରା ମୋତି ମାଣିକ’ରେ ନାୟିକା ଶୁଭ୍ରା ପତିଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଥିଲା୤ ‘ପୂଜାରିଣୀ’ ଚଳଚ୍ଚିତ୍ର ମୁକ୍ତିଲାଭ କରି ନପାରିବା ମୋର ଦୁର୍ଭାଗ୍ୟ ବୋଲି କୁହାଯାଇପାରେ୤

(୫) ଆପଣଙ୍କର ଓଡ଼ିଆ ବ୍ୟତୀତ କିଛି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ରହିଛି, ସେ ବିଷୟରେ କିଛି କୁହନ୍ତୁ୤

ସେ ତ ଆଉ ଏକ କାହାଣୀ ମୋ କଳାକାର ଜୀବନର୤ ମୁମ୍ବାଇର ସଂଘର୍ଷ ଜୀବନ ଭିତରେ ୧୯୮୨ ମସିହାରେ ନିର୍ଦ୍ଦେଶନା ଦେଇଥିଲି ମୋର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ଜମାନା କ୍ୟା କହେଗା’୤ ଏଥିରେ ସଙ୍ଗୀତ ଓ ନିର୍ଦ୍ଦେଶନା ଉଭୟର ଦାୟିତ୍ବ ମୁଁ ବହନ କରିଥିଲି୤ ବଲିଉଡ଼୍‌ର ତାରକା ରାମେଶ୍ବରୀ, ଅରୁଣ ଗୋଭିଲ୍‌, ନିରୂପା ରାୟ, ମଦନ ପୁରୀ ଓ ଡ଼. ଶ୍ରୀରାମ ଲାଗୁ ପ୍ରମୁଖ ଏଥିରେ ଅଭିନୟ କରିଥିଲେ୤ ସେ ସମୟରେ ଏହାର କାହାଣୀର ବିଷୟବସ୍ତୁ କିଡ଼ନୀ ଟ୍ରାନ୍ସପ୍ଲାଣ୍ଟ ଉପରେ ଆଧାରିତ ଥିଲା ଯାହାକି ସେ ସମୟ ପାଇଁ ଅତ୍ୟାଧୁନିକ ବିଷୟ ଥିଲା୤ ଏଣୁ ଦର୍ଶକେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ୤

ତା’ପରେ ୧୯୯୨ ରେ ‘ହାମ୍‌ନେ ପ୍ୟାର କିୟା’ରେ ମୋର ନିର୍ଦ୍ଦେଶନା ଏବଂ ୧୯୯୪ ମସିହାରେ ତୃତୀୟ ଚଳଚ୍ଚିତ୍ର ‘ପ୍ରେମ୍‌ ଉପହାର୍‌’ରେ ମୋର ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ବ ଥିଲା୤ ମୋର ଏହି ୩ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା୤ ଏହା ବ୍ୟତୀତ ମୋର ଅନେକ ମୁକ୍ତିଲାଭ କରି ନଥିବା ଚଳଚ୍ଚିତ୍ର ମଧ୍ୟ ରହିଛି୤

(୬) ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆପଣ ଅନେକ କଳାକାରଙ୍କୁ ଭେଟି ମଧ୍ୟ ଦେଇଛନ୍ତି୤ ସେ ବିଷୟରେ କିଛି କୁହନ୍ତୁ୤

ଖୁସି ଲାଗୁଛି, ଯାହାକୁ ବି ଆଣିଛି ସେମାନେ ଆଜି ନିଜ ନିଜ ବୃତ୍ତିକୁ ନେଇ ବେଶ୍‌ ସଫଳ୤ ସେମାନଙ୍କ ମଧ୍ୟରୁ ସଂଳାପକାର ବିଜୟ ମିଶ୍ର, ଗୀତିକାର ନିଜାମ୍‌, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ରଜନୀକାନ୍ତ ନାୟକ, ତାନ୍‌ସେନ୍‌ ସିଂହ, କେ.ଭାନୁମତି ଓ କଳାକାର କୁମୁଦିନି ମିଶ୍ର, ସୁରେଶ ମିଶ୍ର, ଶୁଭ୍ରା ପତି, ଧୀର ମଲ୍ଲିକ, କେ. ସରାର୍‌, ମନ୍ମଥ ମିଶ୍ର ଆଦି୤ ସମସ୍ତେ ଆଜି ଯଥେଷ୍ଟ ସଫଳ ଓ ସୁଖ୍ୟାତି ଅର୍ଜନ କରିଥିବା ହେତୁ ମୁଁ ଗର୍ବିତ୤

(୭) ଓଡ଼ିଆ ସଙ୍ଗୀତର ମୂଲ୍ୟବୋଧକୁ ନେଇ ଆପଣଙ୍କ ଚିନ୍ତାଧାରା କ’ଣ ?

ମୂଲ୍ୟବୋଧ ତଳିତଳାନ୍ତ ହୋଇସାରିଲାଣି୤ କାରଣ କାହାଣୀ ବା ବିଷୟ ବସ୍ତୁ ଓ ସଙ୍ଗୀତ ମଧ୍ୟରେ କୌଣସି ସାମଞ୍ଜସ୍ୟ ବା ତାଳମେଳ ନାହିଁ୤

(୮) ସମସାମୟିକ କଣ୍ଠଶିଳ୍ପୀ ଭାବେ ଆପଣଙ୍କ ସମୟର କାହାକୁ ଅଧିକ ପସନ୍ଦ କରନ୍ତି?

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ, ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏବଂ ପ୍ରଣବ ପଟ୍ଟନାୟକ୤ ଭାରତୀୟ ସଙ୍ଗୀତ ଓ ଚଳଚ୍ଚିତ୍ର ଇତ୍ୟାଦିରେ ନୌସାଦ୍‌ ସାହେବ, ରଫି ସାହେବ୍‌, କିଶୋର କୁମାର, ଲତା ମଙ୍ଗେସ୍‌କର, ଉଦିତ୍‌ ନାରାୟଣ, ଅନୁରାଧା ପୋଡ଼ୱାଲ, ଶ୍ରେୟା ଘୋଷାଲ ଆଦି୤

(୯) ଆପଣଙ୍କ ପରିବାର ସମ୍ପର୍କରେ କିଛି କୁହନ୍ତୁ୤

ମୋତେ ପ୍ରଭୁ ଶ୍ରୀଜଗନ୍ନାଥ ୩ଟି ସୁନ୍ଦର ସନ୍ତାନ ଉପହାର ଦେଇଛନ୍ତି୤ ୨ ଗୋଟି ଝିଅ ଓ ଗୋଟିଏ ପୁଅକୁ ନେଇ ମୋ ହସଖୁସିର ସଂସାର୤ ସେମାନଙ୍କ ମଧ୍ୟରୁ ସାନଝିଅ ଜୁବିନ୍‌ ଓ ପୁଅ ରଫି ଆଦେନୀ ମୋର କଳା ଓ ସଙ୍ଗୀତକୁ ଗ୍ରହଣ କରିଛନ୍ତି୤ ସେମାନେ ଉଭୟେ କଣ୍ଠଶିଳ୍ପୀ ଭାବେ ପରିଚିତ ଏବଂ ମୋର ପତ୍ନୀ ଖୁବ୍‌ ଯତ୍ନଶୀଳ ଅଟନ୍ତି୤

(୧୦) ଓଡ଼ିଆ ସଙ୍ଗୀତର ଭବିଷ୍ୟତ କ’ଣ ?

ସବୁକିଛି ଜଗନ୍ନାଥଙ୍କ ଭରଷା୤ ଶ୍ରୋତା ଓ ଦର୍ଶକଙ୍କ ସ୍ବାଦ ବଦଳିଲେ ସବୁ ବଦଳିବ୤

(୧୧) କିଛି ନୂତନ ସୃଷ୍ଟି କିମ୍ବା ଗବେଷଣା ଉପରେ କାମ କରୁଛନ୍ତି କି ?

ହଁ ଚାଲିଛି୤ ଏକ ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ୍‌ ଲେଖା ଚାଲିଛି୤ ଚଳଚ୍ଚିତ୍ରଟିଏ ନିର୍ମାଣ ଓ ନିର୍ଦ୍ଦେଶନା ଦେବାକୁ ପୁଣି ଇଚ୍ଛା ହେଉଛି୤ କିଛି ସି.ଡି. ସଙ୍ଗୀତର ରେକର୍ଡ଼ିଂ ଓ ଭିଡ଼ିଓ ଚିତ୍ର ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି୤

(୧୨) ଆପଣ କେଉଁ କଥାକୁ ଘୃଣା କରନ୍ତି ?

ମୁଁ ଘୃଣା କରେ ଘୃଣାକୁ ଓ ସମସ୍ତଙ୍କୁ ଭଲ ପାଅ ନୀତିରେ ବିଶ୍ବାସ କରେ୤

(୧୩) ଜଣେ କଳାକାରର ଜୀବନ ଓ ବୃତ୍ତିକୁ ନେଇ ଆପଣ କେତେ ସନ୍ତୁଷ୍ଟ ?

ଶତକଡ଼ା ୧୦୦ ଭାଗ୤ ଶ୍ରୀଜଗନ୍ନାଥ ମତେ ସବୁକିଛି ଦେଇଛନ୍ତି୤ ଆଜି ବି ମୁଁ କଳାସାଧନାରେ ମାତିଛି୤

(୧୪) ନୂତନ ପୀଢ଼ି ପାଇଁ କିଛି ବାର୍ତ୍ତା ?

ଯଦି କଳାକୁ ଅଧା ବାଟରେ ନ ଛାଡ଼ି ପୂର୍ଣ୍ଣ କରିବେ ଓ ପୂଜା କରିବେ ତେବେ ସଫଳତା ଆପଣଙ୍କ ପାଦ ଛୁଇଁବ୤ ନିରାଶ ହୁଅନ୍ତୁ ନାହିଁ୤ ରାତି ପରେ ନିଶ୍ଚିତ ସକାଳ ହେବ ଏଥିରେ ସନ୍ଦେହ ନାହିଁ୤

(୧୫) ଓଡ଼ିଆ ମ୍ୟୁଜିକ୍‌ ଡଟ୍‌କମ୍‌ ପ୍ରତି ଆପଣଙ୍କ ବାର୍ତ୍ତା ?

ଓଡ଼ିଆ ମ୍ୟୁଜିକ୍‌ ଡଟ୍‌କମ୍‌ ପୋର୍ଟାଲ୍‌ କୁ ମୋର ହାର୍ଦ୍ଦିକ ଶୁଭକାମନା୤ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ ମୁଁ କାମନା କରୁଛି୤

କିଛିମାସ ତଳେ ଏହି ସାକ୍ଷାତକାରଟି ଓଡ଼ିଆମ୍ୟୁଜିକ୍‌ ଡଟ୍‌ କମ୍‌ର ପ୍ରତିନିଧି ବିଶ୍ବରୂପ ଦାଶ ନେଇଥିଲେ୤
 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing