Share :

Rudradhara Dance- Rourkelaରାଉରକେଲା: ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ୤ ବିଶେଷ କରି ନିଜ କଳା, ଅଧ୍ୟବସାୟ, ନିଷ୍ଠା ଏବଂ ଏକାଗ୍ରତା ବଳରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିବା ରାଉରକେଲାର ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେବା ନିମନ୍ତେ ସମସ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ଆର୍‌ଏସ୍‌ପି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ସରୋଜକାନ୍ତି ମିଶ୍ର କହିଛନ୍ତି୤ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟାନୁଷ୍ଠାନ ‘ଦେବନୃତ୍ୟମ୍‌’ ଆନୁକୂଲ୍ୟରେ ଆୟୋଜିତ ରୁଦ୍ରଧାରା ମହୋତ୍ସବର ଉଦ୍‌ଯାପନ ଅବସରେ ଉଦ୍‌ଘାଟକ ଭାବେ ଡା. ମିଶ୍ର ଯୋଗ ଦେଇଥିଲେ୤ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସୁବ୍ରତ ତରାଇ ଯୋଗ ଦେଇ ଏହିପରି ଏକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଦେବନୃତ୍ୟମ ଅନୁଷ୍ଠାନକୁ ସାଧୁବାଦ ଦେଇଥିଲେ୤ ଏହିପରି କାର୍ଯ୍ୟକ୍ରମ ଦ୍ବାରା ରାଉରକେଲାର କଳାକାରମାନେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଏହି ସହରର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସହାୟକ ହୋଇଛନ୍ତି ବୋଲି ବୋଲି ମନ୍ତ୍ରୀ ଶ୍ରୀ ତରାଇ କହିଥିଲେ୤

ଉଦ୍‌ଯାପନୀ ସନ୍ଧ୍ୟାରେ ଲଣ୍ଡନରୁ ଆସିଥିବା ବିଶିଷ୍ଠ କଥକ ନୃତ୍ୟାଙ୍ଗନା ଅନୁରେଖା ଘୋଷଙ୍କ ରାଗ ହାମସାଧାନୀରେ ଏକକ କଥକ ନୃତ୍ୟ, କଲିକତାରୁ ଆସିଥିବା ଭରତନାଟ୍ୟମ ନୃତ୍ୟଶିଳ୍ପୀ ରାଜଦୀପ୍‌ ବାନାର୍ଜୀଙ୍କ ମୀରାଭଜନ ତାଳରେ ଦ୍ରୌପଦୀ ବସ୍ତ୍ରହରଣ ନୃତ୍ୟ ଓ ଅଭିନୟ, ରାମାୟଣୀ ରାୟଙ୍କ ମହାଭାରତ ଯୁଧ୍ୟ ପୂର୍ବରୁ ଦ୍ରୌପଦୀ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ କଥାବାର୍ତ୍ତାକୁ କଥକଳୀ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପ୍ରଦର୍ଶନକୁ ଉପସ୍ଥିତ ଦର୍ଶକମାନେ କରତାଳି ସହିତ ଉପଭୋଗ କରିଥିଲେ୤ ସେହିପରି ଅହମଦାବାଦ୍‌ରୁ ଆସିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ସୁପ୍ରଭା ମିଶ୍ରଙ୍କ ରାଗ ପଲ୍ଲବୀରେ ଗୀତ ଗୋବିନ୍ଦ ନୃତ୍ୟ ଓ ଅଭିନୟ, କଲିକତାରୁ ଆସିଥିବା କଥକ ନୃତ୍ୟାଙ୍ଗନା ଅମାର୍ତ୍ୟ ଚାଟାର୍ଜୀଙ୍କ ଶିବ ବନ୍ଦନା ନୃତ୍ୟ ଓ ଅଭିନୟ ସହିତ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରୁ ଆସିଥିବା ଶେଖ୍‌ ଖଲିଲ୍‌ ଓ ସାଥୀମାନଙ୍କ ଦ୍ବାରା ପ୍ରଦର୍ଶିତ ବାଳଗୋପାଲ କୃଷ୍ଣଙ୍କ ଲବନୀ ଚୋରୀ ନୃତ୍ୟ ଓ ଅଭିନୟ ସହିତ ଥାଳି ଉପରେ ଠିଆ ହୋଇ ନୃତ୍ୟ ପ୍ରଦର୍ଶନରେ ଉପସ୍ଥିତ କଳାପ୍ରେମୀ ଦର୍ଶକ ଅଭିଭୂତ ହୋଇଯାଇଥିଲେ୤ ଶେଷରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ଦେବାଶିଷ ପଟ୍ଟନାୟକ ଏବଂ ପ୍ରିୟଙ୍କା ମିଶ୍ରଙ୍କ ସମେତ ମୋଟ ୧୨ଜଣ କଳାକାରଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ଓ ଅଭିନୟ ମାଧ୍ୟମରେ ଶ୍ରୀକୃଷ୍ଣ ରାସଲୀଳା ବେଶ୍‌ ଆକର୍ଷଣୀୟ ହୋଇଥିଲା୤

ଆର୍‌ଏସ୍‌ପି ମହାପ୍ରବନ୍ଧକ ନାରାୟଣ ପତିଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ରୁଦ୍ରଧାରା ମହୋତ୍ସବ ଆୟୋଜିତ ହୋଇଥିଲା୤ ଏହି ଉତ୍ସବର ପ୍ରଥମ ଦିନରେ ଦେବନୃତ୍ୟମ୍‌ର ନିର୍ଦ୍ଦେଶକ ତଥା ନୃତ୍ୟଗୁରୁ ଦେବାଶିଷ ପଟ୍ଟନାୟକ ଏବଂ ତାଙ୍କ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ତୃତୀୟ ଶ୍ରଦ୍ଧାଞ୍ଜଳି ସମାରୋହ ଅବସରରେ ପ୍ରଦର୍ଶିତ ହୋଇଥିଲା୤ ଏହି ଅବସରରେ ଭୁବନେଶ୍ବରରୁ ଆସିଥିବା ସୁନାମଧନ୍ୟ ଶିଳ୍ପୀ ଜଗବନ୍ଧୁ ଜେନାଙ୍କ ସମେତ ଦୁଇଦିନରେ ଯୋଗ ଦେଇଥିବା ସମସ୍ତ କଳାକାର ଏବଂ ଶେଷ ଦିନରେ ଯୋଗଦେଇଥିବା ଅତିଥିମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା୤

 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing