Share :
Ramesh Mahananda୧୯୭୮ ରୁ ୨୦୧୨, ଦୀର୍ଘ ଚଉତିରିଶ ବର୍ଷ ବା ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ଧରି ଅନେକ ଉତ୍‌ଥାନ ଓ ପତନକୁ ଅଙ୍ଗେ ଲିଭେଇ ସାରିଲାଣି “ରଙ୍ଗବତୀ”୤ ହେଲେ ସେ ଥକିପଡ଼ିନି, ବାର୍ଦ୍ଧକ୍ୟ ତାକୁ ଛୁଇଁ ପାରିନି୤ ଆଜି ବି ସେ ଚିରସବୁଜ, କୋମଳମତି, ହସକୁରୀ ଆଉ ଟିକେ ଲାଜେଇ ବି, ଏ କଥା ଏଇ ମାଟିର ପ୍ରତ୍ୟେକ ଓଡ଼ିଆ ଅନୁଭବ କରିଛି୤ କେବଳ ଏଇ ମାଟି ନୁହେଁ ପ୍ରବାସୀ ଓଡ଼ିଆଟିଏ ବି ମଧ୍ୟ ରଙ୍ଗବତୀ ପ୍ରେମରେ ନ ପଡ଼ି ରହିପାରିନି୤ ଓଡ଼ଶାର ଲୋକଗୀତ ବା ଲୋକ ସଙ୍ଗୀତର କଥା ମନକୁ ଆସିଲେ ସେଇ ଲାଜେଇ ରଙ୍ଗବତୀର ଝାପ୍‌ସା ମୁହଁ ମନେପଡ଼ିଯାଏ୤ ଆଉ ମନେ ପଡ଼ିଯାଏ ସେଇ ମହାନ ସୃଷ୍ଟିକର୍ତ୍ତା ସଙ୍ଗୀତକାର ଶ୍ରୀଯୁକ୍ତ ରମେଶ ମହାନନ୍ଦଙ୍କ ଶାନ୍ତ ସରଳ ମୁହଁଟି୤ ସେ ସଙ୍ଗୀତ ନିର୍ଦ୍ଦେଶକ, ରଙ୍ଗବତୀର ଜନ୍ମଦାତା ମାଆବାପ ସବୁକିଛି୤ ତାଙ୍କରି ସଙ୍ଗୀତ ଗର୍ଭରୁ ଜନ୍ମ ନେଇଥିବା ଏଇ ରଙ୍ଗବତୀ ଆଜି ବି କୋଟି କୋଟି ଓଡ଼ିଆଙ୍କୁ ନିଜର ତାଳ ଲୟ ଓ ବାଦ୍ୟରେ ଝୁମେଇ ଦିଏ୤ ସେହି ରମେଶ ବାବୁ ଅନେକ ରଙ୍ଗବତୀକୁ ନିଜ ମାନସଗର୍ଭରେ ଧରି ଆଗକୁ ବାଟ ଚାଲିଛନ୍ତି୤
(୧) ଆପଣଙ୍କ ସଙ୍ଗୀତର ଯାତ୍ରା କିପରି ଆରମ୍ଭ ହେଲା?

୧୯୫୫ ମସିହା ମଇ ମାସ ୧୮ ତାରିଖରେ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ମୋର ଜନ୍ମ୤ ପରବର୍ତ୍ତୀ ସମୟରେ ବାପାଙ୍କର କର୍ମକ୍ଷେତ୍ରର ବ୍ୟସ୍ତତା ଯୋଗୁଁ ଆମେ ଚାଲିଆସିଲୁ ଟିଟିଲାଗଡ଼୤ ସେଠାରେ ରହିବା ଭିତରେ ବେଳେ ବେଳେ ବାପା ଯାତ୍ରାରେ ଅଭିନୟ କରିବା ସହିତ ଗୀତ ବି ଗାଉଥିଲେ୤ ଏହି ଗୀତ ଗାଇବା ଦେଖି ମୁଁ ସଙ୍ଗୀତ ପ୍ରତି ପ୍ରଥମେ ଆକର୍ଷିତ ହୋଇଥିଲି୤ ପରବର୍ତ୍ତୀ ସମୟରେ ଆମେ ସ୍ଥାନାନ୍ତରିତ ହେଲୁ ବରଗଡ଼କୁ୤ ସେହିଠାରେ ମୁଁ ଜଣେ ସଙ୍ଗୀତ ଟେକ୍‌ନିସିଆନ ଭାବେ କାର୍ଯ୍ୟରେ ଯୋଗ ଦେଲି୤

ଏହି ସମୟରେ ଦିନେ ଆକସ୍ମିକ ଭାବେ ମୁଁ ଭେଟିଲି ଜଣେ ଅଲୌକିକ ସଙ୍ଗୀତକାରଙ୍କୁ, ବରଗଡ଼ରେ୤ ସେ ଥିଲେ ଜଣେ ପୂର୍ବତନ ବାୟୁସେନା ଅଧିକାରୀ ଶ୍ରୀଯୁକ୍ତ ବରୁଣ କୁମାର ସୁରଜାଲ୍‌୤ ସେ ଆଲୌକିକ ଏଇଥିପାଇଁ ଯେ, ସେ ଏକାଧାରରେ ଅନେକ ଗୁଡିଏ ବାଦ୍ୟଯନ୍ତ୍ରକୁ ଖୁବ୍‌ ଚମତ୍କାର ଭାବେ ବଜେଇ ପାରୁଥିଲେ୤ ଯେଉଁଥିରେ ଥିଲା ଭିନ୍ନ ଏକ ଆକର୍ଷଣ୤ ତାଙ୍କରି ପାଖରେ ମୋର ପ୍ରଥମ ସଙ୍ଗୀତର ମୂଳଦୁଆ ପଡିଲା ବା ସଙ୍ଗୀତର ବ୍ୟାକରଣ ତାଙ୍କଠାରୁ ହିଁ ମୁଁ ଶିଖିଲି୤ ଏଇଠାରୁ ହିଁ ମୋ ସଙ୍ଗୀତ ଜୀବନର ଯାତ୍ରା ଆରମ୍ଭ ହେଲା ବୋଲି ମୁଁ ଭାବେ୤

(୨) ରଙ୍ଗବତୀର ଯାତ୍ରା କିପରି ଆରମ୍ଭ ହୋଇଥିଲା ?

୧୯୭୭ ମସିହାରେ ରଙ୍ଗବତୀ କନକଲତାର ଗୀତଟି ସମ୍ବଲପୁର ଅଲ୍‌ ଇଣ୍ଡିଆ ରେଡିଓରେ ରେକର୍ଡିଂ କରାଯାଇ ଏକ ଲୋକପ୍ରିୟ କାର୍ଯ୍ୟକ୍ରମ “ସୁର୍‌ମାଲିକା”ରେ ବେତାର ପ୍ରସାରଣ କରାଯାଇଥିଲା୤ ଯାହା ଧୀରେ ଧୀରେ ଲୋକପ୍ରିୟ ହୋଇଚାଲିଲା୤ ଦୁଇଜଣ ପ୍ରସିଦ୍ଧ ଗାୟକ କ୍ରିଷ୍ଣା ପଟେଲ ଓ ଜିତେନ୍ଦ୍ରିୟ ହରିପାଲ୍‌ ଏହି ଗୀତରେ କଣ୍ଠଦାନ କରିଥିଲେ୤ ତାଙ୍କରି କଣ୍ଠର ଯାଦୁ ଏଇ ଗୀତଟିକୁ ବିଶ୍ବପ୍ରସିଦ୍ଧ କରାଇଲା୤ ଆଉ ତା’ପରେ ଏଇ ଗୀତଟିର ଲୋକପ୍ରିୟତାରେ ଆକର୍ଷିତ ହୋଇ କଲିକତାର ଏକ ଗ୍ରାମଫୋନ୍‌ କମ୍ପାନୀ, ଇଣ୍ଡେର୍‌ କୋ. ଏହି ଗୀତଟି ପାଇଁ ଉଭୟ ଗାୟକଙ୍କୁ ନେଇ ୧୯୭୮ ମସିହାରେ କଲିକତା ସ୍ଥିତ କମ୍ପାନୀର ନିଜ ଷ୍ଟୁଡିଓରେ ରେକର୍ଡିଂ କରାଇଥିଲା୤ ଯାହାକି ମୋ ପାଇଁ ଷ୍ଟୁଡିଓ ରେକର୍ଡିଂ ଭାବେ ପ୍ରଥମ ଅନୁଭୂତି ଥିଲା୤ ୧୯୮୦ରେ ଏହା ରେକର୍ଡ୍‌ ଭାବେ ମୁକ୍ତିଲାଭ କଲା୤ ଏଇଟା ହିଁ ମୋ ସଙ୍ଗୀତ ଜୀବନର ଏକ ବିଶେଷ ମୋଡ଼ ଥିଲା୤ ରଙ୍ଗବତୀ ଏକ ସମ୍ବଲପୁରୀ ଲୋକଗୀତ ଭାବେ ଓଡ଼ିଆଙ୍କ ଘରେ ଘରେ ଲୋକପ୍ରିୟ ହେବାରେ ଲାଗିଲା୤ ଏହା ଥିଲା ରଙ୍ଗବତୀର ଯାତ୍ରା୤

(୩) ରଙ୍ଗବତୀ ଆତ୍ମପ୍ରକାଶ କରିବା ପରେ ଆଉ କେଉଁଥିପାଇଁ ଆପଣ କାମ କରିଥିଲେ ?

୧୯୮୨ରେ ରଙ୍ଗବତୀ ରେକର୍ଡିଂ ହୋଇଥିବା ଗ୍ରାମଫୋନ୍‌ କମ୍ପାନୀରେ ମୋର ପ୍ରଥମ ଗୀତିନାଟ୍ୟ “ନାପ୍‌କେଲୀ”ର ମୁକ୍ତିଲାଭ ହେଲା, ଯାହାକି ଅତ୍ୟନ୍ତ ଆଉ ଅସମ୍ଭବ ଭାବେ ପଶ୍ଚିମ ଓଡିଶାରେ-ଲୋକପ୍ରିୟତା ପାଇଲା୤ ଏ ଭିତରେ ଅନେକଗୁଡିଏ ସମ୍ବଲପୁରୀ ଗୀତ, ଲୋକଗୀତ, ନାଟକ, ଗୀତିନାଟ୍ୟ ଇତ୍ୟାଦିରେ ମୁଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲି୤ ୧୯୮୩ରେ ଆରମ୍ଭ ହେଲା କ୍ୟାସେଟ୍‌ର ରେକର୍ଡିଂ କାମ୤ ସେତେବେଳେ ଜେ.ଇ. କ୍ୟାସେଟ୍‌ କମ୍ପାନୀ (ଏବେ ଯିଏ ସାର୍ଥକ)ରେ ମୋର ଏକ ଗୀତ କ୍ୟାସେଟ୍‌ ମୁକ୍ତିଲାଭ କଲା୤ ସେହି ସମୟରେ ମୋ ନିର୍ଦ୍ଦେଶନାରେ “କିଆଝରନ୍‌” ଶୀର୍ଷକ ଆଲ୍‌ବମ୍‌ ଲୋକପ୍ରିୟତାର ଶୀର୍ଷକୁ ଛୁଇଁଥିଲା୤ ଏ ସବୁ ନିର୍ମାଣ ହେବା ପୂର୍ବରୁ ଓଡ଼ିଶାରେ ସେ ସମୟରେ ସମ୍ବଲପୁରୀ ସଙ୍ଗୀତକୁ ଏକ ନିମ୍ନସ୍ତରରେ ଦେଖାଯାଉଥିଲା୤ ମୋର ଏହିସବୁ ଲୋକପ୍ରିୟ ରେକର୍ଡ୍‌ ଓ କ୍ୟାସେଟ୍‌ର ମୁକ୍ତିଲାଭ ହେବାପରେ ଲୋକମାନଙ୍କର ସେହି ଧାରଣା ସମ୍ପୂର୍ଣ୍ଣଭାବେ ବଦଳିଗଲା୤

(୪)ଜୀବନ ଆଉ ସଙ୍ଗୀତ ଏ ଦୁଇଟି ଭିତରେ ଆପଣ କିଛି ପାର୍ଥକ୍ୟ ଅନୁଭବ କରିଛନ୍ତି କି?

ଏ ଦୁଇଟି ସମ୍ପୂର୍ଣ୍ଣ ପରିପୂରକ୤ ସଙ୍ଗୀତ ନାହିଁ ତ ଜୀବନର ମାନେ କିଛି ନାହିଁ୤ ସମସ୍ତଙ୍କ ସୁପ୍ତ ମନରେ ତାହା ଥାଏ୤ କାହାଠାରେ ତାହା ପରିପ୍ରକାଶ ହୁଏ ବା କାହାଠାରେ ହୋଇ ନଥାଏ୤ ତଥାପି ଯେବେବି ସଙ୍ଗୀତର ସ୍ବର ବାଜିଉଠେ ମନ ଓ ଶରୀରରେ ତାହା ଆପେ ଆପେ ଆନ୍ଦୋଳିତ ହୁଏ୤

(୫) ଆଜିର ସମୟରେ ଓଡ଼ିଆ ସଙ୍ଗୀତରେ ମୂଲ୍ୟବୋଧ ରହିଛି କି ?

ଓଡ଼ିଆ ସଙ୍ଗୀତର ମୂଲ୍ୟବୋଧ ପୂର୍ବରୁ ଯଥେଷ୍ଟ ଅଧିକ ଥିଲା୤ କାରଣ ସେତେବେଳେ ଆପାତତଃ ପ୍ରତ୍ୟେକ ଓଡ଼ିଆ ଗୀତରେ ଓଡ଼ିଆତ୍ବର ମହକ, ପରିବେଶ ଆଉ ଅର୍ଥପୂର୍ଣ୍ଣବୋଧକ ଭାବ ଥିଲା ଯାହା ଏବେ ସେ ସବୁ ହଜିଯାଇଛି ବୋଲି ମୁଁ କହିବି୤ ଆଜିର ଓଡ଼ିଆ ସଙ୍ଗୀତ ନିଜର ମୌଳିକତା ହରେଇ ବସିଛି୤ ଏହି ଅବସରରେ ଆଉ ମୂଲ୍ୟବୋଧ କଥା କଣ କହିବି ?

(୬) ଆଜି ଓଡ଼ିଆ ସଙ୍ଗୀତରେ ଜଣେ କଳାକାରର ସ୍ବାଧୀନତା ଅଛି କି?

ନାଁ, ଆଜି ପ୍ରାୟତଃ ବା ଅଧିକରୁ ଅଧିକ ପ୍ରଯୋଜକ ନିଜ ଇଚ୍ଛା ବା ଆଦେଶରେ ସଙ୍ଗୀତର ସତ୍ତାକୁ ନିୟନ୍ତ୍ରଣ କରୁଛନ୍ତି୤ସଙ୍ଗୀତର ସୃଷ୍ଟି, ପରିବେଷଣ ଓ ରୁଚି ସବୁଥିରେ ନିଜ ମନମୁଖୀ କାରବାର ଜାହିର କରିବା ହେତୁ ସଙ୍ଗୀତ ନିର୍ଦ୍ଦେଶକର ସୂକ୍ଷ୍ମ ଚିନ୍ତାଧାରା ବାଧାପ୍ରାପ୍ତ ହେଉଛି୤ ଅତଏବ ତାର ସ୍ବାଧୀନତା ସେ ହରାଉଛି୤ ଏସବୁ ଆମବେଳେ ନଥିଲା୤ କାରଣ ଆମ ଶୈଳୀକୁ ନେଇ ପ୍ରଯୋଜକ କାମ କରୁଥିଲେ୤ ତେଣୁ ସଙ୍ଗୀତରେ ଭିନ୍ନତା ସହିତ ସ୍ବାଧୀନତା ଥିଲା୤

(୭)ଆପଣଙ୍କ ସମସାମୟିକ କେଉଁ ସଙ୍ଗୀତ ନିର୍ଦ୍ଦେଶକଙ୍କୁ ଆପଣ ବେଶୀ ପସନ୍ଦ କରନ୍ତି୤

ମୋର ସମସାମୟିକ ତ କେହି ନଥିଲେ୤ ମୋଠାରୁ ବରିଷ୍ଠ ଭାବେ ପ୍ରଫୁଲ୍ଲ ବାବୁ, ଅକ୍ଷୟ ବାବୁ ଓ ରାଧାକୃଷ୍ଣ ଭଞ୍ଜ ଇତ୍ୟାଦିଙ୍କ କୃତି ଖୁବ୍‌ ଭଲ ଲାଗେ୤ ହେଲେ ଏବେ ସେପରି କୃତିର ଘୋର ଅଭାବ ଦେଖାଦେଇଛି୤

(୮)ଓଡ଼ିଆ ସଙ୍ଗୀତର ଶିଳ୍ପରେ ଯେଉଁ ଅଭାବ ରହିଛି ତାର ସମାଧାନ ଅଛି ବୋଲି ଆପଣ ଭାବୁଛନ୍ତି କି?

In a recording session for Film Bhukhaଅଭାବ ତ ନିଶ୍ଚିତ ଅଛି ବୋଲି ମୁଁ କହିବି୤ ତେବେ ସେହି କଥା ଏଠାରେ ପ୍ରକାଶ କରିବା ବଡ଼ ଅପ୍ରୀତିକର ହେବ୤ ତେବେ ମୁଁ କହିବି ମୋଟା ମୋଟି ଭାବେ ଏଠାରେ ସୃଜନଶୀଳତାର ଅଭାବ ସହିତ ସଙ୍ଗୀତର ବ୍ୟାକରଣକୁ କେହି ଧ୍ୟାନ ଦେଉ ନାହାଁନ୍ତି୤ ଅର୍ଥାତ୍‌ ପ୍ରାୟତଃ ନୂତନ ପିଢ଼ିର କଳାକାରଙ୍କଠାରେ ଏହା ଦେଖିବାକୁ ମିଳୁନାହିଁ୤ କହିବାକୁ ଗଲେ କେହି ମୂଳଦୁଆକୁ ନ ଯାଇ ସଙ୍ଗୀତର ସର୍ଜନା ପାଇଁ ଚେଷ୍ଟା କରୁଛନ୍ତି୤ ଫଳରେ ରୁଚିର ପରିବର୍ତ୍ତନ ହେଉନାହିଁ, ସାମାଜିକ ଦାୟିତ୍ବର ଅଭାବ ରହିଯାଉଛି ସଙ୍ଗୀତରେ୤ କେବଳ ବ୍ୟବସାୟିକ ଲକ୍ଷ୍ୟରେ ସଙ୍ଗୀତର ନିର୍ମାଣ କରାଯାଇ ପରବର୍ତ୍ତୀ ସମୟରେ ସମସ୍ତେ କ୍ଷତିଗ୍ରସ୍ତ ହେଉଛନ୍ତି୤ ତେଣୁ ଏପରି ସ୍ଥିତିରେ ଆମେ ସମସ୍ତେ ଏ ଦିଗପ୍ରତି ସଚେତନ ହେବା ଆବଶ୍ୟକ୤

(୯) ଆପଣଙ୍କ ମତରେ ଓଡ଼ିଆ ସଙ୍ଗୀତ ଶିଳ୍ପରେ ପେସାଦାର ମନୋଭାବ କିଭଳି ଅଛି ବୋଲି ଆପଣ ଭାବୁଛନ୍ତି?

ଓଡ଼ିଶାରେ କଳାକୁ ଗୋଟିଏ ସଉକ ଭାବେ ଗ୍ରହଣ କରିହେବ କିନ୍ତୁ ପେସା ବା ବୃତ୍ତି ଭାବେ ନୁହେଁ୤ କାରଣ ଏ ପର୍ଯ୍ୟନ୍ତ ଆମମାନଙ୍କ ଭିତରେ କଳାକୁ ବା କଳାପ୍ରତି ଏକ ଉଚିତ୍‌ ମୂଲ୍ୟାଙ୍କନ ଭାବେ ଗୁରୁତ୍ବ ଦିଆଯାଉନାହିଁ୤ ତେଣୁ ଆମ ଭିତରେ ପେସାଦାର ମନୋଭାବ ଆସିବ କିପରି ? ସେଥିପାଇଁ ଉତ୍ସର୍ଗୀକୃତ ମନୋଭାବ, ସମୟାନୁବର୍ତ୍ତିତା ଓ କର୍ତ୍ତବ୍ୟପରାୟଣତାର ଆବଶ୍ୟକ ଅଛି୤

(୧୦) ଆପଣଙ୍କ ଜୀବନର କିଛି ବିଶେଷ ଘଟଣା ବାବଦରେ କୁହନ୍ତୁ ?

ସେପରି କିଛି ତ ନାହିଁ୤ ହଁ ମୋର ପ୍ରଥମ ସଙ୍ଗୀତ ନିର୍ଦ୍ଦେଶନାର ରେକର୍ଡ଼ିଂ ପାଇଁ ଯେବେ ମୁଁ କଲିକତା ଯାଇଥିଲି ସେଠି ଷ୍ଟୁଡିଓରେ ରେକର୍ଡ଼ିଂ କରିବା ଥିଲା ମୋ ପାଇଁ ଏକ ବିଶେଷ ଘଟଣା୤ ତା’ପରେ ଜାତୀୟ ଓ ଆନ୍ତର୍ଜାତିକ ପୁରସ୍କାର ପ୍ରାପ୍ତ କଳାତ୍ମକ ଚଳଚିତ୍ର “ଭୁଖା” ପାଇଁ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ମଞ୍ଚ ଉପରେ ମତେ ଡାକି ସମସ୍ତ ଦର୍ଶକଙ୍କ ସହିତ ମୁଁ ଏହି ଚଳଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ବୋଲି ମୋର ପରିଚୟ କରାଇ ଦେଇଥିଲେ୤ ଏହାପରେ ମଞ୍ଚାସୀନ ଅତିଥିବୃନ୍ଦ ଓ ଦର୍ଶକଙ୍କ କରତାଳିରେ ପ୍ରେକ୍ଷାଳୟ ପ୍ରକମ୍ପିତ ହୋଇଥିଲା, ଯାହାକି ମତେ ଖୁବ୍‌ ଶିହରିତ କରିଥିଲା୤ ଏଇଟା ହିଁ ମୋ ପାଇଁ ଏକ ବିଶେଷ ଘଟଣା ଥିଲା ବୋଲି ମୋର ମନେ ହୁଏ୤

(୧୧) ନିଜ ପରିବାର ସମ୍ପର୍କରେ କିଛି କୁହନ୍ତୁ ?

୧୯୭୬ରେ ମୋର ବିବାହ ହୋଇଥିଲା, ମୋ ପତ୍ନୀ ଜଣେ ଗୃହିଣୀ, ଦୁଇ ଝିଅ, ଗୋଟିଏ ପୁଅକୁ ନେଇ ମୋ ଛୋଟ ପରିବାର୤ ଦୁଇ ଝିଅ ଏବେ ଘରେ ଅଛନ୍ତି୤ ଆଉ ପୁଅ ରାୟପୁର ସ୍ଥିତ ସାର୍ଥକ ମ୍ୟୁଜିକ୍‌ କମ୍ପାନୀରେ ଜଣେ ରେକର୍ଡିଷ୍ଟ୍‌ ଭାବେ କାର୍ଯ୍ୟରତ୤

(୧୨) ଆପଣଙ୍ଗ ସଙ୍ଗୀତ କାର୍ଯ୍ୟରେ ପତ୍ନୀଙ୍କ ସହଯୋଗ କିପରି ରହିଛି ?

ପୂର୍ଣ୍ଣମାତ୍ରାରେ ସେ ମୋତେ ସହଯୋଗ କରନ୍ତି ଆଉ ମୋ କଳାପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଛି, ତାହା କେବଳ ଅନୁଭବର କଥା ଯାହା ପ୍ରକାଶ କରିହେବ ନାହିଁ୤

(୧୩) ଆପଣଙ୍କ ସଙ୍ଗୀତ ନିର୍ମାଣର ଆଧାର କଣ?

ମୋର ସଙ୍ଗୀତ ନିର୍ମାଣର ମୂଳଦୁଆ ହେଉଛି ଶାସ୍ତ୍ରୀୟ ସଙ୍ଗୀତ ଯାହାକୁ ଆଧାର କରି ମୁଁ ଲୋକସଙ୍ଗୀତର ପରିକଳ୍ପନା କରେ୤ ଅର୍ଥାତ୍‌ ମୋ ସଙ୍ଗୀତ ଗଠନର ସାଧନା ମୁଖ୍ୟତଃ ଶାସ୍ତ୍ରୀୟ କିନ୍ତୁ ତାହା ପ୍ରକାଶ ପାଏ ଏକ ଲୋକଗୀତର ଢାଞ୍ଚାରେ୤

(୧୪) ଓଡ଼ିଆ ସଙ୍ଗୀତର ଭବିଷ୍ୟତକୁ ନେଇ ଆପଣ କ’ଣ ଅନୁମାନ କରୁଛନ୍ତି?

with Suresh Wadekarବର୍ତ୍ତମାନର ସଙ୍ଗୀତ ଜଗତର ଯେଉଁଭଳି ଅବକ୍ଷୟ ହେବାରେ ଲାଗିଛି ମୋର ସେ ଉପରେ ଆସ୍ଥା ନାହିଁ୤ ତଥାପି ମୁଁ ଭାବୁଛି ଆଗକୁ ଓଡ଼ିଆ ମାଟିରୁ ଭଲ ଓ ଗୁଣାତ୍ମକ ସଙ୍ଗୀତର ବୀଜ ପୁଣି ଅଙ୍କୁରିତ ହେବ୤ ତାର ଲାଳିତ୍ବ ପୁଣି ସମସ୍ତଙ୍କ ମନକୁ ଛୁଇଁବ୤ ଧୀରେ ଧୀରେ ଅନେକ ଶ୍ରୋତା ଏ ଦିଗରେ ସଚେତନ ହେଲେଣି୤ ଯେଉଁଠି ମନ୍ଦ ଅଛି ସେଠି ଭଲ ବି ଅଛି୤ ଏ ବିଶ୍ବାସ ମୋର ରହିଛି୤

(୧୫) ଆପଣଙ୍କର ପେଶାଦାର କୃତି ବାବଦରେ କିଛି ସୂଚନା ଦିଅନ୍ତୁ୤

ମୋର ପ୍ରକୃତ ପେସାଦାର ଜୀବନ ଆରମ୍ଭ ହେଇଥିଲା ୧୯୮୮ରେ ନିର୍ମିତ ଚଳଚ୍ଚିତ୍ର “ଭୁଖା”ରୁ୤ ସେବେଠାରୁ ଅନେକ କାର୍ଯ୍ୟକ୍ରମ, କ୍ୟାସେଟ୍‌ ଇତ୍ୟାଦି, ମଞ୍ଚ ଓ ଦୂରଦର୍ଶନ ପାଇଁ କରିଛି୤ ନିକଟରେ ପଶ୍ଚିମ ଓଡ଼ିଶାର ଦେବୀପୀଠଗୁଡ଼ିକ ଉପରେ ମୋ ନିର୍ଦ୍ଦେଶନାରେ ଏକ ଭିସିଡ଼ି ମୁକ୍ତିଲାଭ କରିଛି୤ ଆଗାମୀ ଦିନରେ ଆହୁରି କିଛି ମୁକ୍ତିଲାଭ ଅପେକ୍ଷାରେ ରହିଛି୤

(୧୬) ନୂତନ ପିଢ଼ିମାନଙ୍କ ପାଇଁ କିଛି ବାର୍ତ୍ତା ?

ନାଁ କିଛି କହିବାର ନାହିଁ କାରଣ ସେମାନେ ଯଥେଷ୍ଟ ପରିପକ୍ବ୤ ତେବେ ଏତିକି କହିବି ଆମେ ଓଡ଼ିଆ, ଆମ ଓଡ଼ିଶାର ବିକାଶ ପାଇଁ ଆମେ ସଙ୍ଗୀତର ମୂଳଦୁଆ ଓ ମୂଳତତ୍ତ୍ବ ପ୍ରତି ସଚେତନ ହେବା ଆବଶ୍ୟକ୤

(୧୭) ଓଡ଼ିଆ ମ୍ୟୁଜିକ୍‌ ଡଟ୍‌ କମ୍‌ ପାଇଁ ଆପଣଙ୍କ ବାର୍ତ୍ତା

ଏହା ଏକ ମହତ ଉଦ୍ୟମ୤ ଆଶାକରୁଛି ଆଗକୁ ମଧ୍ୟ ଏହା ଜାରି ରହିବ୤

ଶ୍ରୀଯୁକ୍ତ ରମେଶ ମହାନନ୍ଦଙ୍କ ସହିତ ତାଙ୍କ କଟକ ସ୍ଥିତ ବାସଭବନରେ ଓଡ଼ିଆମ୍ୟୁଜିକ୍‌ ଡଟ୍‌ କମ୍‌ର ପ୍ରତିନିଧି ବିଶ୍ବରୂପ ଦାଶ ଏହି ସାକ୍ଷାତକାରଟିକୁ ନେଇଥିଲେ୤

ସଂଗୃହିତ ଗୀତରୁ କିଛି ଶୁଣନ୍ତୁ
Rangabati Go Rangabati, Kanaka Lata  ( Year :  1976 )
Singer(s):  Jitendra Haripal & Krishna Patel
Lyricist :  Mitrabhanu Gauntia Music Director :  Ramesh Kumar
Malli Phuti Mahakila Ranga Rasiaa Ke  ( Year :  2007 )
Film :  Bhukha Singer(s) : 
Lyricist :  Music Director :  Ramesh Kumar Mahananda
Subha Lagane Bara Kale Gamana Ho  ( Year :  2007 )
Film :  Bhukha Singer(s) : 
Lyricist :  Music Director :  Ramesh Kumar Mahananda
Aarati Taarini Go Asta Udaya Arate Je Chinte  ( Year :  2007 )
Film :  Bhukha Singer(s) : 
Lyricist :  Music Director :  Ramesh Kumar Mahananda
Phatai Khaili Bella Kukila Re  ( Year :  2007 )
Film :  Bhukha Singer(s) : 
Lyricist :  Music Director :  Ramesh Kumar Mahananda
 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing