Share :
Kasturi Patnaik - Odissi Guruନୂଆଦିଲ୍ଲୀ ସ୍ଥିତ “ସଙ୍କଳ୍ପ” ଅନୁଷ୍ଠାନର ସାଂସ୍କୃତିକ ବିଭାଗର ନିର୍ଦ୍ଦେଶିକା ସହିତ ଜଣେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଭାବେ ଶ୍ରୀମତୀ କସ୍ତୁରୀ ପଟ୍ଟନାୟକ ପ୍ରତିଷ୍ଠା ଲାଭ କରିଛନ୍ତି୤ ସେ ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନରୁ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ୤ ଏହା ସହିତ ସେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କ ସୁଯୋଗ୍ୟା ଶିଷ୍ୟା ଭାବେ ନିଜସ୍ବ ଉଦ୍ୟମରେ ଓଡ଼ିଶୀ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟକୁ ଏକ ନୂତନ ଢାଞ୍ଚାରେ ଉପସ୍ଥାପନ କରିବା ଦିଗରେ ଆଜି ମଧ୍ୟ କାର୍ଯ୍ୟରତ ରହିଛନ୍ତି୤ ସମ୍ପ୍ରତି ସେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ସକ୍ରିୟ ରହିବା ସହିତ ଜଣେ ନୃତ୍ୟଗୁରୁ ଏବଂ ସଙ୍ଗୀତ ନିର୍ଦ୍ଦେଶିକା ଭାବେ ମଧ୍ୟ କାର୍ଯ୍ୟରତ ଅଛନ୍ତି୤ ଭାରତ ସମେତ ବିଭିନ୍ନ ଦେଶରେ ନିଜର ଚମତ୍କାର ନୃତ୍ୟ ପରିବେଷଣ କରି ବେଶ୍‌ ପ୍ରଶଂସିତ ହୋଇଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ଓଡ଼ିଶୀ ନୃତ୍ୟକ୍ଷେତ୍ରରେ ନିଜର ପ୍ରଦର୍ଶନ ପାଇଁ ଅନେକ ସମ୍ମାନଜନକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀମତୀ ପଟ୍ଟନାୟକ୤ ସେ ଅନେକ ଯୁବକଳାକାରମାନଙ୍କୁ ଚୟନ କରିବା ପାଇଁ ବିଭିନ୍ନ କମିଟି ମାଧ୍ୟମରେ ଏକାଧିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସହାୟତା ମଧ୍ୟ କରୁଛନ୍ତି୤
(୧) ଓଡ଼ିଶୀ ନୃତ୍ୟ ଆଉ ସଙ୍ଗୀତ ଭିତରେ ଆପଣ ବିଶେଷ କିଛି ପାର୍ଥକ୍ୟ ଅନୁଭବ କରୁଛନ୍ତି କି ?

ଓଡ଼ିଶୀ ସଙ୍ଗୀତ ବିନା ଓଡ଼ିଶୀ ନୃତ୍ୟର କିଛି ସ୍ଥିତି ହିଁ ନାହିଁ୤ ଗାୟନ, ପଠନ ନର୍ତ୍ତନ ଆଦି ସବୁହେଲା ପରେ ଯାଇ ଜଣେ ନୃତ୍ୟ କରିପାରିବ୤ ଓଡ଼ିଶୀ ନୃତ୍ୟ ତ ବିଶ୍ବପରିଚିତ ହୋଇସାରିଛି, ହେଲେ ଓଡ଼ିଶୀ ସଙ୍ଗୀତ ସେହିପରିଭାବେ ଓଡ଼ିଶା ବାହାରେ ପରିଚିତ ହୋଇପାରିନାହିଁ୤ ମୋ ମତରେ ତାହା ଆମ୍ଭମାନଙ୍କର କେତେକ ଭୁଲ୍‌ ପାଇଁ ଏବଂ ତା’ ସହିତ ଆବଶ୍ୟକ କଳାକାରମାନଙ୍କ ଅଭାବ ମଧ୍ୟ ରହିଛି ଓଡ଼ିଶୀ ସଙ୍ଗୀତରେ୤ ଯେଉଁଭଳି ହିନ୍ଦୁସ୍ଥାନୀ କିମ୍ବା ଅନ୍ୟାନ୍ୟ ଶାସ୍ତ୍ରୀୟ ସଙ୍ଗୀତରେ ଜାତୀୟ ସ୍ତରରେ କଳାକାରମାନେ ଅଛନ୍ତି, ଆମ ଓଡ଼ିଶୀ ସଙ୍ଗୀତରେ ସେମାନଙ୍କ ସଂଖ୍ୟା ଖୁବ୍‌ କମ୍‌୤ ଯେଉଁମାନେ ବି ଅଛନ୍ତି ମୁଖ୍ୟତଃ ସେମାନେ ଓଡ଼ିଶୀ ନୃତ୍ୟର ବୋଲାଯାଉଥିବା ସଙ୍ଗୀତରେ ଗାୟନ କରୁଛନ୍ତି ଏବଂ ଏକକ ଓଡ଼ିଶୀ ସଙ୍ଗୀତ ପାଇଁ ଖୁବ୍‌ କମ୍‌ କଳାକାର ଆମ ଓଡ଼ିଶାରେ ଅଛନ୍ତି୤ ଯଦି ଏହି ସଙ୍ଗୀତ କିମ୍ବା ଗାୟନ ଶୈଳୀକୁ ନେଇ ଅଧିକରୁ ଅଧିକ ଗବେଷଣାମୂଳକ କାର୍ଯ୍ୟ କରାଯାଆନ୍ତା, ତେବେ ନୃତ୍ୟ ଓ ସଙ୍ଗୀତ ମଧ୍ୟରେ ଥିବା ପାର୍ଥକ୍ୟଟିକୁ ଭଲଭାବେ ବୁଝିହୁଅନ୍ତା ଏବଂ ବହୁତ୍‌ ଭଲ ମଧ୍ୟ ହୁଅନ୍ତା୤ ଏବେ କିନ୍ତୁ ଧୀରେ ଧୀରେ ଭୁବନେଶ୍ବରରେ ଥିବା ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ବାରା ଏହି ସଙ୍ଗୀତର ଅନେକ ପ୍ରଚାର ପ୍ରସାର କରାଗଲାଣି, ଆଶା ତାହା ଖୁବ୍‌ଶୀଘ୍ର ଜନାଦୃତ ହେବ୤

(୨) ଓଡ଼ିଶୀ ନୃତ୍ୟକୁ ଆମେ ସମସ୍ତେ ଅଧିକ ବ୍ୟାପ୍ତ ଭାବେ ଯେଉଁପରି ଜାଣୁ, ଓଡ଼ିଶୀ ସଙ୍ଗୀତକୁ ମଧ୍ୟ ଲୋକେ ସେପରି ଜାଣନ୍ତି ବୋଲି ଆପଣ ଭାବୁଛନ୍ତି କି ?

ଟିକେ ସମୟ ଲାଗିବ, କଷ୍ଟ ହେବ, କାରଣ ଅନେକ ଶ୍ରୋତା ଏହାକୁ ଏକ ଲୋକସଙ୍ଗୀତ ଭାବେ ଗ୍ରହଣ କରିନେଇଛନ୍ତି୤ ତା’ପରେ ବି ବହୁତ୍‌ ଡେରି ହେଇଗଲାଣି୤ କାରଣ ଓଡ଼ିଶୀନୃତ୍ୟ ଯେଉଁ ସମୟରୁ ଲୋକପ୍ରିୟ ହେଲା ଠିକ୍‌ ସେଇ ସମୟରୁ ଏହି ସଙ୍ଗୀତର ପ୍ରସାର ହେବା କଥା୤ ଏବେ ଏହା ଏତେ ଡେରି ହେଇଗଲାଣି ଯେ, ଆଜିର ହାଇଟେକ୍‌ ଯୁଗରେ ଏହାକୁ ଗ୍ରହଣ କରିବା ଟିକେ କଷ୍ଟ ହେଇପଡ଼ିଛି୤ ଅବଶ୍ୟ ଏଥିପାଇଁ ପ୍ରତିଯୋଗିତା ହେଉଛି, କିନ୍ତୁ ସେତେଦୂର ଆଗେଇପାରିନି, ତେଣୁ ଶ୍ରୋତାଙ୍କୁ ଏହାକୁ ଗ୍ରହଣ କରିବାକୁ ବହୁତ କଷ୍ଟ ହେଉଛି୤ ତେବେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ କିମ୍ବା କଣ୍ଠଶିଳ୍ପୀମାନେ ଏହା କରିପାରିବେ୤ ସାଧାରଣ ଜନତାଙ୍କ ପାଇଁ ଏହାକୁ ବର୍ତ୍ତମାନ ଗ୍ରହଣ କରିବା ଟିକେ କଷ୍ଟ ୤ ତେବେ ଆଗକୁ ସବୁ ଠିକ୍‌ ହୋଇଯିବ ବୋଲି ମୁଁ ଆଶା କରୁଛି୤ ତେବେ କେବେ ହେବ…. ତାହା ହିଁ ମୁଖ୍ୟକଥା୤

(୩) ଅନ୍ୟାନ୍ୟ ନୃତ୍ୟସଙ୍ଗୀତ ଯେପରି କର୍ଣ୍ଣାଟକୀ/ହିନ୍ଦୁସ୍ଥାନୀ ସଙ୍ଗୀତଗୁଡ଼ିକୁ ଜାତୀୟ କିମ୍ବା ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ମିଳିଛି ସେ ତୁଳନାରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତକୁ ମାନ୍ୟତା ମିଳିଛି ବୋଲି ଆପଣ ଭାବୁଛନ୍ତି କି ?

କୌଣସି ଆନ୍ତର୍ଜାତିୟ କିମ୍ବା ଜାତୀୟ ସଙ୍ଗୀତ ଉତ୍ସବରେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ପାଇଁ ଏ ପର୍ଯ୍ୟନ୍ତ ସେପରି ନିମନ୍ତ୍ରଣ ଆସିନାହିଁ ବୋଲି ମୋର ଧାରଣା ବା ମୁଁ ଜାଣିବାରେ ସେମିତି କିଛି ହୋଇନାହିଁ୤

(୪) ଆପଣ ନୃତ୍ୟ ପ୍ରତି କେବେଠାରୁ ଆକୃଷ୍ଟ ହେଲେ ?

ମୋ ପିଲାଦିନୁ ମୁଁ ନୃତ୍ୟ ଶିଖିଲି ସତ କିନ୍ତୁ ସଙ୍ଗୀତକୁ ଖୁବ୍‌ ଭଲପାଏ୤ ନୃତ୍ୟ ଓ ଗୀତ ମୋର ଜୀବନ୤ ମୁଁ ସବୁପ୍ରକାର ନୃତ୍ୟକୁ ଭଲପାଏ, ତାହା ଲୋକନୃତ୍ୟ ହେଉ ଅବା ଚଳଚ୍ଚିତ୍ରର ନୃତ୍ୟ୤ ସବୁକୁ ମୁଁ ଉପଭୋଗ କରେ୤ ପଶ୍ଚାତ୍ୟ ସଙ୍ଗୀତ ସମେତ ବିଭିନ୍ନ ସଙ୍ଗୀତକୁ ମୁଁ ଉପଭୋଗ କରେ୤

(୫) ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ମଧ୍ୟରୁ ଆପଣ ପ୍ରଥମେ କେଉଁଟିକୁ ପସନ୍ଦ କରିବେ ?

ଓଡ଼ିଶୀ ନୃତ୍ୟକୁ

(୬) ପିଲାଦିନର କିଛି ସ୍ମୃତି ମନେ ଅଛି କି, ଯାହା କେବେ ଆପଣଙ୍କୁ ଓଡ଼ିଶୀ ନୃତ୍ୟକୁ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇଥିଲା ?

ମୋତେ ସଙ୍ଗୀତ ଓ ନୃତ୍ୟ ଭଲଲାଗେ୤ ଘର ପାଖରେ ନୃତ୍ୟ ଶିଖିବାକୁ ଇଚ୍ଛା ହେଲା୤ ମୋ ବଡ଼ଭାଇ ମୋତେ ସାଇକେଲ୍‌ରେ ବସେଇ ନୃତ୍ୟ ଶ୍ରେଣୀକୁ ନେଇ ଯାଉଥିଲେ ଏବଂ ମୋ ସାନ ମାଉସୀ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଥିଲେ୤ ମୁଁ ତା’ଙ୍କ ନୃତ୍ୟ ଦେଖୁଥିଲି୤ ଗୁରୁ ବାଳକୃଷ୍ଣ ଦାସଙ୍କ ଗୀତ ମତେ ଭଲ ଲାଗୁଥିଲା୤ ସେ ଆମ ଘରକୁ ଆସୁଥିଲେ ଓ ମାଉସୀଙ୍କୁ ଶିଖାଉଥିଲେ୤ ତା’ପରେ ମୁଁ ନୃତ୍ୟ ଶିଖିବାକୁ ଗଲି୤ ପରେ ଆସି ଓଡ଼ିଶୀ ଗବେଷଣା କେନ୍ଦ୍ରରେ ୧୯୮୭ ମସିହାରେ ଯୋଗଦେଲି୤ ସେଠାରେ ୧୯ ବର୍ଷ ଓ କିଛି ମାସ ଯୋଗଦାନ ପରେ ଚାହିଁଲି ନିଜେ କିଛି ଅଲଗା ସୃଜନାତ୍ମକ କଳାକୁ ମୋ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସାମିଲ କରିବାକୁ୤

ଏହାପରେ ମୋ ନୃତ୍ୟ ପାଇଁ ମୁଁ ନିଜେ ସଙ୍ଗୀତର ପରିକଳ୍ପନା ସହିତ ଅନେକ ନୂଆ ନୂଆ ପରିକଳ୍ପନା କରିବାର ସ୍ବପ୍ନ ଦେଖିଲି୤ ହେଲେ ଦୁଃଖର କଥା ଏଥିପାଇଁ ମତେ ସେ ସମୟରେ ବହୁଚେଷ୍ଟା କରି ମଧ୍ୟ ଓଡ଼ିଶା ସରକାରଙ୍କର ସାହାଯ୍ୟ ସହଯୋଗ ନ ମିଳିବା ହେତୁ ଖୁବ୍‌ ଭାଙ୍ଗିପଡ଼ି ଶେଷକୁ ଓଡ଼ିଶା ଛାଡ଼ି ଦିଲ୍ଲୀ ଯାଇଥିଲି୤ ଆଉ ଶେଷକୁ ସେହିଠାରେ ମୁଁ ସଫଳତା ପାଇଲି୤ ଓଡ଼ିଶାରେ ଥିବା ମୋର ସମସ୍ତ ଛାତ୍ରଛାତ୍ରୀମାନେ ମୋତେ ସବୁବେଳେ ସହଯୋଗ କରନ୍ତି୤ ଏଥିସହିତ ମୁଁ ସେମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ନିଜର କଳାପ୍ରଦର୍ଶନ କରୁଛି୤ ଏହା ବ୍ୟତୀତ ପ୍ରତ୍ୟେକ ବର୍ଷ ମୁଁ ପାଞ୍ଚଛଅଟି କାର୍ଯ୍ୟକ୍ରମ ଓଡ଼ିଶାରେ କରିଥାଏ୤

(୭) ଓଡ଼ିଆ ଜାତିକୁ ନେଇ ଆପଣ କେତେ ଗର୍ବିତ ?

ପ୍ରତ୍ୟେକ କାମ ତ ମୁଁ ଓଡ଼ିଶା ପାଇଁ କରେ୤ ଖାଲି ମୋ ଶରୀରଟା ଯାହା ଦିଲ୍ଲୀରେ ରହିଛି, କିନ୍ତୁ ମୋ ମନ ଓ ଆତ୍ମା ତ ଏଇଠି୤ ମୁଁ ଏଥିପାଇଁ ଖୁବ୍‌ ଗର୍ବିତ୤

(୮) ଆପଣ ଜଣେ ଓଡ଼ିଆଭାବେ ଆନ୍ତର୍ଜାତିକ ସ୍ତରରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି୤ ସମ୍ପ୍ରତି ଯେଉଁ ଓଡ଼ିଆମାନେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହେଲାପରେ ନିଜକୁ ଓଡ଼ିଆ କହିବା ପାଇଁ ସଙ୍କୋଚ଼ବୋଧ କରୁଛନ୍ତି ସେ ବାବଦରେ ଆପଣଙ୍କର ମତାମତ ?

ସେ କଥା ଭାବିବା ପାଇଁ କେବେ ମୁଁ ସ୍ବପ୍ନରେ ସୁଦ୍ଧା ଚିନ୍ତା କରିନାହିଁ୤ ମୁଁ ଅନ୍ୟ କୌଣସି ବ୍ୟକ୍ତି ବାବଦରେ ମନ୍ତବ୍ୟ ଦେବା ପାଇଁ ଚାହୁଁନାହିଁ୤ ତେବେ ମୁଁ ଜଣେ ଓଡ଼ିଆ ଭାବେ ଓଡ଼ିଶୀ ନୃତ୍ୟ କରୁଛି ଏବଂ ମୋ ଚେହେରାକୁ ଯିଏ ଦେଖିବ ସେ ନିଶ୍ଚିତ ମୋତେ ଜଣେ ଓଡ଼ିଆ ବୋଲି ଚିହ୍ନିପାରିବ ବୋଲି ମୋର ବିଶ୍ବାସ୤

(୯) ଆପଣଙ୍କ ମତରେ ଓଡ଼ିଶୀ ସଙ୍ଗୀତ ଭିତରେ କେଉଁ ଉପାଦାନଟିର ଅଭାବ ରହିଛି ?

କଳାର ପ୍ରଦର୍ଶନ ଓ କଳାକାରଙ୍କ ଅଭାବ୤ ଅଧିକ କଳାପ୍ରଦର୍ଶନ ଓ ଅଧିକ କଳାକାର ହେଉଛି ବର୍ତ୍ତମାନ ପାଇଁ ଅତ୍ୟନ୍ତ ଆବଶ୍ୟକ୤ ଆଉ କିଛି ବି ନୁହେଁ୤

(୧୦) ପୂର୍ବରୁ ଯେଉଁ ସଙ୍ଗୀତ ବିଦ୍ବାନ ଓ ଗୁରୁମାନେ ଥିଲେ ସେମାନେ ଏ ଦିଗରେ କିଛି କରିଥିଲେ ବୋଲି ଆପଣ ଭାବୁଛନ୍ତି କି ?

ସେମାନେ ନିଜ ନିଜ ସ୍ତରରେ ଅନେକ ଉଦ୍ୟମ କରିଛନ୍ତି୤ ଗୁରୁ ବାଳକୃଷ୍ଣ ଦାସଙ୍କ ଭଳି ଜଣେ ଗାୟକ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନାହିଁ୤ ସେହିଭଳି ଜଣେ ଗାୟକ ବର୍ତ୍ତମାନ ପାଇଁ ନିହାତି ଆବଶ୍ୟକ୤ କାରଣ ତାଙ୍କ ଗାୟନରେ ଓଡ଼ିଶୀର ଏକ ସମ୍ପୂର୍ଣ୍ଣ ବାସ୍ନା ବାରି ହୋଇପଡ଼ୁଥିଲା୤ ବର୍ତ୍ତମାନ ସବୁଆଡ଼ୁ ମିଶାମିଶି କରି କିଛିଟା ହୋଇଯାଉଛି୤ ଆମେ ନୃତ୍ୟ ଯୋଗୁଁ ଏହାକୁ ଗ୍ରହଣ କରିନେଉଛୁ୤ ଏହା ହେବା ଉଚିତ୍‌ ନୁହେଁ୤ ମୋ ମତରେ ଯେଉଁମାନେ ଓଡ଼ିଶୀକୁ ଉପସ୍ଥାପନ କରୁଛନ୍ତି ସେମାନେ ଯତ୍ନ ନେଉଛନ୍ତି୤ ତେବେ ଏବାବଦରେ ଆହୁରି ଯତ୍ନ ନେବା ଉଚିତ୍‌ ବୋଲି ମୁଁ ଭାବୁଛି୤

(୧୧) ଆଗାମୀ ପିଢ଼ିମାନଙ୍କ ପାଇଁ ଓଡ଼ିଶୀ ନୃତ୍ୟ ବା ସଙ୍ଗୀତ ପାଇଁ କ’ଣ ବାର୍ତ୍ତା ଦେବେ ?

ମୁଁ ଜାଣିନାହିଁ ଏହା କେତେଦୂର ସମ୍ଭବ ବା ଆଦୃତ ହେବ୤ ଓଡ଼ିଶୀ ସଙ୍ଗୀତର ଗାୟନ ଶୈଳୀରେ ନୃତ୍ୟ ପ୍ରଦର୍ଶନ କଲେ ବୋଧହୁଏ ଏହା ଲୋକଙ୍କ ଦ୍ବାରା ବେଶୀ ଆଦୃତ ହେବ୤ କାରଣ ଏବେ ଗାୟନ ଶୈଳୀ ଅଲଗା ପ୍ରକାର ହେଉଛି୤ ଆମେ ସେହି ସଙ୍ଗୀତକୁ ନେଇ ନୃତ୍ୟ ପ୍ରଦର୍ଶନ କରିଚାଲିଛୁ୤ ତା’ନକରି ଗାୟନ ଶୈଳୀର ପଦ୍ଧତିର ଯେଉଁ କଳା ଅଛି ତାରି ଅନୁସାରେ କିଛି ନୂତନ ଉଚ୍ଚକୋଟିର ସଙ୍ଗୀତ ପଦ୍ଧତିକୁ ସର୍ଜନା କରି ଯଦି ଦର୍ଶକଙ୍କୁ ଭେଟି ଦିଆଯିବ ଏବଂ ଏହି ସଙ୍ଗୀତ ଯେବେ ନୃତ୍ୟ ମାଧ୍ୟମରେ ଆଦୃତ ହୋଇଯିବ ସେତେବେଳେ ଏହା ଖୁବ୍‌ ଶୀଘ୍ର ଲୋକପ୍ରିୟ ହୋଇପାରିବ୤ ତେଣୁ ନୂତନ ପିଢ଼ି ଏହି ଦିଗ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି ମୋର ମତ୤

(୧୨) ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଗୀତରେ ଯେଉଁ ଓଡ଼ିଆର ବାସ୍ନା ରହୁଥିଲା ଏବେ ନିର୍ମାଣ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ଗୀତରେ ସେହି ବାସ୍ନା ରହୁଛି ବୋଲି ଆପଣ ଭାବୁଛନ୍ତି କି ?


ମୋ ମତରେ ବାସ୍ନା ଜମା ନାହିଁ୤ ଓଡ଼ିଆ ଚଳଚ୍ଚିତ୍ରର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ମୋତେ ଏକ ସ୍ବତନ୍ତ୍ର ନୃତ୍ୟ କାର୍ଯ୍ୟକ୍ରମ କରିବାପାଇଁ ଅନୁରୋଧ କରାଯାଇଥିଲା୤ ସେତେବେଳେ ମୁଁ ଅନେକ ପୁରୁଣା ସିନେମା ଗୀତରୁ ୧୨ଟି କୁ ଚୟନ କରି ତା’ର ଧ୍ବନୀରେ ଓଡ଼ିଶୀ ନୃତ୍ୟକୁ ଓଡ଼ିଶୀ ପାରମ୍ପରିକ ବେଶଭୂଷାରେ କମ୍ପୋଜ୍‌ କରି ପରିବେଷଣ କରିଥିଲି୤ ଏହା ଏବେ ବି ବାଲିଯାତ୍ରାରେ ପୁନଃ ପରିବେଷଣ ହୋଇଥିଲା୤

କାରଣ ମତେ ସବୁବେଳେ ଓଡ଼ିଆ ସିନେମାର ମୁଖ୍ୟତଃ ପୁରୁଣା ଗୀତ ଭଲଲାଗେ ଏବେ ସେଭଳି ଗୀତ ନାହିଁ୤ ମୋ ମତରେ ଓଡ଼ିଶୀ ସଙ୍ଗୀତର ନିର୍ଦ୍ଦେଶକମାନେ ଆଉ ଏଭଳି କରୁନାହାନ୍ତି୤ ବର୍ତ୍ତମାନ ବହୁତ ହାଇଟେକ୍‌ ଢାଞ୍ଚାରେ ସଙ୍ଗୀତ ସବୁ ନିର୍ମାଣ ହୋଇ ଖୁବ୍‌ ଭଲ ବି ହେଉଛି, କିନ୍ତୁ ସେଥିରେ ସ୍ବାଦ ନାହିଁ୤

(୧୩) ଏହାର କ’ଣ କାରଣ ହୋଇପାରେ ବୋଲି ଆପଣ ଭାବୁଛନ୍ତି ?

ବର୍ତ୍ତମାନର ସଙ୍ଗୀତକାରମାନେ ସେହିପରି ସଙ୍ଗୀତ କମ୍ପୋଜ୍‌ କରୁନାହାନ୍ତି, ଅର୍ଥାତ୍‌ ପ୍ରଯୋଜକମାନେ ସେଭଳି ସଙ୍ଗୀତକାରଙ୍କୁ କାର୍ଯ୍ୟରେ ନିୟୋଜିତ କରୁନାହାନ୍ତି ଅଥବା ସଙ୍ଗୀତକୁ ପ୍ରୋତ୍ସାହନ ଦେଉ ନାହାନ୍ତି୤ ଆଉ କେତେକଙ୍କ ମତରେ ବର୍ତ୍ତମାନର ଦର୍ଶକ ଓ ଶ୍ରୋତାଙ୍କ ପସନ୍ଦ ପରିବର୍ତ୍ତନ ହୋଇଯାଇଛି୤ ତେଣୁ ପୂର୍ବଢାଞ୍ଚାକୁ ଗ୍ରହଣ କରିବା ପାଇଁ ଚଳଚ୍ଚିତ୍ର ପ୍ରଯୋଜକମାନେ ଆବଶ୍ୟକ ମନେ କରୁନାହାଁନ୍ତି୤ ଅନ୍ୟପକ୍ଷରେ ବ୍ୟାପକ ବ୍ୟବସାୟକରଣ ଗୁଣାତ୍ମକ ସଙ୍ଗୀତର ଅଭାବର କାରଣ ମଧ୍ୟ୤

(୧୪) ସମ୍ପ୍ରତି ଆଲୋଚନା ହେଉଛି ଯେ, ଓଡ଼ିଆ ସଙ୍ଗୀତରେ ଲୋକମାନେ ଯାହା ଚାହୁଁଛନ୍ତି ତାହା ନିର୍ମାଣ ହେଉଛି୤ ଏହା କେତେଦୂର ଠିକ୍‌ବୋଲି ଆପଣ ଭାବୁଛନ୍ତି ?

ଏହା ସମ୍ପୂର୍ଣ୍ଣ ଭାବେ ଠିକ୍‌ ନୁହେଁ ୤ ଯେଉଁମାନେ ଆଜିକାଲି ସଙ୍ଗୀତ ନିର୍ମାଣ କରୁଛନ୍ତି, ସେମାନେ ଶ୍ରୋତାଙ୍କ ମତାମତ ସଂଗ୍ରହ କରିବାପାଇଁ ସ୍ୱତନ୍ତ୍ର ଉଦ୍ୟମ କରୁଛନ୍ତି କି ବା ଅଭିଯୋଗକୁ ଯତ୍ନର ସହିତ ବିଚାରକୁ ନେଉଛନ୍ତି କି? କିନ୍ତୁ କେତେ ଜଣ ସ୍ପର୍ଶକାତର କଳାକାର ଅଛନ୍ତି, ଯେଉଁମାନେ କି ନିଜ ରୁଚି ଅନୁସାରେ ବା ପ୍ରଥମେ ନିଜକୁ ସନ୍ତୁଷ୍ଟ କରିବାପରେ ଯାଇ ଅନ୍ୟକୁ ସନ୍ତୁଷ୍ଟ କରି ସେଇ ପଦ୍ଧତିରେ ଚାଲନ୍ତି୤ ସଙ୍ଗୀତର ଶାସ୍ତ୍ରୀୟତା ତଥା ଶୈଳୀ ଓ ବୈଷୟିକ ଦିଗକୁ ଦୃଷ୍ଟି ଦେଇ ସେଥିପ୍ରତି ସଚେତନ ଥାଆନ୍ତି୤ ସେମାନେ ଲୋକଙ୍କ କଥାରେ କାମ ନକରି ରୁଚିସମ୍ପନ୍ନ ଶ୍ରୋତାଙ୍କ ପାଇଁ ସଙ୍ଗୀତ ନିର୍ମାଣ କରନ୍ତି୤

(୧୫) ଓଡ଼ିଆ ମ୍ୟୁଜିକ୍‌ ଡଟ୍‌କମ୍‌ ପ୍ରତି ଆପଣଙ୍କ ବାର୍ତ୍ତା ?

ମୁଁ ଯେତେବେଳେ ୨୦୦୫ରେ ପ୍ରଥମେ ଇଣ୍ଟରନେଟ୍‌ ବ୍ୟବହାର ଆରମ୍ଭ କଲି ସେତେବେଳେ ଓଡ଼ିଆ ମ୍ୟୁଜିକ୍‌ ବାବଦରେ ଜାଣିବାକୁ ପାଇଲି୤ ପରେ ଇଣ୍ଟରନେଟ୍‌ରେ ଓଡ଼ିଆ ଗୀତ ନ ଶୁଣିଲେ ମତେ ଭଲ ଲାଗୁ ନଥିଲା୤ ସେହି ସମୟରେ ଓଡ଼ିଆ ମ୍ୟୁଜିକ୍‌ ଡଟ୍‌କମ୍‌ରୁ ବହୁତ କିଛି ପାଇଲି୤ ଏ ବାବଦରେ ମୋ ବନ୍ଧୁମାନଙ୍କୁ ମଧ୍ୟ ସୂଚନା ଦେଲି୤ ସମ୍ପ୍ରତି ମୁଁ ଏହି ୱେବ୍‌ସାଇଟ୍‌ର ଜଣେ ନିୟମିତ ବ୍ୟବହାରକାରୀ୤ ଏହାକୁ ମୁଁ ଖୁବ୍‌ ଭଲପାଏ୤ ତେଣୁ ଏହି ସଂସ୍ଥାର ଉତ୍ତୋରାତ୍ତର ଉନ୍ନତି ପାଇଁ ମୁଁ କାମନା କରୁଛି୤

ଚଳିତ ମାସ ଶ୍ରୀମତୀ କସ୍ତୁରୀ ପଟ୍ଟନାୟକ କୋଣାର୍କ ଉତ୍ସବରେ ଯୋଗଦେବାକୁ ଆସିଥିବା ଅବସରରେ ତାଙ୍କର ଏହି ସାକ୍ଷାତକାରଟି ଓଡ଼ିଆମ୍ୟୁଜିକ୍‌ ଡଟ୍‌ କମ୍‌ର ପ୍ରତିନିଧି ବିଶ୍ବରୂପ ଦାଶ ନେଇଥିଲେ୤
 

4 Responses

  1. sanjay pattnaik says:

    ମୁଁ ନିଜକୁ ଗର୍ବିତ ମନେ କରେ !! ଅପନଙ୍କ ଚଲାପଥକୁ ଜଗନ୍ନାଥ କୁସୁମିତ କରନ୍ତୁ୤ ଏହାହିଁ ପ୍ରାର୍ଥନା୤

  2. Nirnjan says:

    She is the third generation of Odissi classical dance in Odisha Guru tradition,with an International fame and performance. For which I and my Odisha proud of her today.

  3. Deba prasad Parija says:

    ଭଲ ହୋଇଛି ସାକ୍ଷାତକାରଟି,ଉଦ୍ୟମ ଜାରି ରହୁ୤

  4. Anup says:

    She is a master piece and undisputed leader in her field.I am proud of her.


Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing