Share :
Arati Mishraଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତ, ଓଡ଼ିଶୀ, ଛାନ୍ଦ, ଚମ୍ପୁ ସହିତ ଆଧୁନିକ ସଙ୍ଗୀତ ପରିବେଷଣ ସହିତ ଏହା ସମ୍ବନ୍ଧୀୟ ଅନେକ ଗବେଷଣାତ୍ମକ ପୁସ୍ତକର ପ୍ରକାଶନ କରି ଓଡ଼ିଆ ସଙ୍ଗୀତକୁ ଦେଶବିଦେଶରେ ଅଧିକ ପ୍ରତିଷ୍ଠିତ କରାଇବାରେ ସହାୟକ ହୋଇଛନ୍ତି ଶ୍ରୀମତୀ ଆରତୀ ମିଶ୍ର୤ ୧୯୩୮ ମସିହାରେ ଜନ୍ମ ହୋଇଥିବା ଆରତୀ ମିଶ୍ର ଆଜି ମଧ୍ୟ ନିଜ ସଙ୍ଗୀତ ସାଧନା ସହିତ ତରୁଣ ପିଢ଼ୀକୁ ପ୍ରଶିକ୍ଷଣ ଦେବା ଜାରି ରଖିଛନ୍ତି୤ ସେହିପରି ଅଲ୍‌ଇଣ୍ଡିଆ ରେଡ଼ିଓ ଦିଲ୍ଲୀର କେନ୍ଦ୍ରୀୟ ଅଡ଼ିସନ୍‌ ବୋର୍ଡର ସଦସ୍ୟା ସହିତ ବହୁ ପ୍ରଖ୍ୟାତ ତଥା ଜାତୀୟସ୍ତରର ମ୍ୟୁଜିକ୍‌ କମ୍ପାନୀ ପାଇଁ ନିଜର କଣ୍ଠଦାନ କରି ନିଜର ସୁମଧୁର ସ୍ବର ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀମତୀ ମିଶ୍ର୤ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସହିତ ସାରଳା ପୁରସ୍କାର, ଭକ୍ତସାଲବେଗ ପୁରସ୍କାର, ସଙ୍ଗୀତ ସରସ୍ବତୀ ଭଳି ଜାତୀୟ ଓ ରାଜ୍ୟସ୍ତରର ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତା ଶ୍ରୀମତୀ ମିଶ୍ର ଓଡ଼ିଆ ଶାସ୍ତ୍ରୀୟ ସଙ୍ଗୀତର ଏକ ଅମୂଲ୍ୟ ରତ୍ନ୤ ସେହିପରି ଦିଲ୍ଲୀ, ମୁମ୍ବାଇ ସମେତ ଭାରତର ବିଭିନ୍ନ ଦୂରଦର୍ଶନ କେନ୍ଦ୍ରର ଜଣେ ସୁନାମଧନ୍ୟା କଳାକାର ଭାବେ ମଧ୍ୟ ସେ ନିଜପାଇଁ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି୤ ଏହା ବ୍ୟତୀତ ଅନେକ ସମୟରେ ବିଦେଶର ବିଭିନ୍ନ ସ୍ଥାନକୁ ଯାଇ ସେଠାରେ ନିଜର ସଙ୍ଗୀତ ପରିବେଷଣ ମାଧ୍ୟମରେ ନିଜ ଦେଶ ତଥା ରାଜ୍ୟର ନାମକୁ ଗୌରବାନ୍ବିତ କରିଛନ୍ତି ଶ୍ରୀମତୀ ମିଶ୍ର୤
(୧) ଆପଣଙ୍କ ସଙ୍ଗୀତ ଜୀବନ କେବେଠାରୁ ଓ କିପରି ଆରମ୍ଭ ହେଲା ?

୩ ବର୍ଷ ବୟସରୁ ସଙ୍ଗୀତ ପ୍ରତି ମୁଁ ଆକର୍ଷିତ ହେଲି୤ ଏହାର କାରଣ ମୋ ଭଉଣୀ ଯେବେ ସଙ୍ଗୀତାଭ୍ୟାସ କରୁଥିଲେ ମୁଁ ପାଖରେ ବସି ସେ ସବୁକୁ ଅନୁଧ୍ୟାନ କରୁଥିଲି୤ ଏହାଛଡ଼ା ମୋ ଭଉଣୀଙ୍କ ଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର ତ୍ରିପାଠୀ ଯେବେ ମତେ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ନେଇଯାଇଥିଲେ ସେହିଠାରେ ହିଁ ମୋର ସଙ୍ଗୀତ ଶିକ୍ଷାଲାଭର ଆଗ୍ରହ ପ୍ରବଳ ମାତ୍ରାରେ ଜାଗ୍ରତ ହୋଇଥିଲା୤

(୨) ଆପଣଙ୍କର ସଙ୍ଗୀତରେ ପେଷାଦାର ଜୀବନ କେବେଠାରୁ ଆରମ୍ଭ ହେଲା?

ସାଢ଼େ ନଅବର୍ଷ ବୟସରୁ ହିଁ ମୋର ପେଷାଦାର ଜୀବନର ଆରମ୍ଭ ହେଇଥିଲା ବୋଲି ମୁଁ ଭାବୁଛି, ଯେବେ କଟକସ୍ଥିତ ଅଲ୍‌ ଇଣ୍ଡିଆ ରେଡ଼ିଓରେ ହେବାକୁ ଥିବା ଏକ ଅଡ଼ିସନ୍‌ରେ ମୁଁ ଗାଇବା ପାଇଁ ସୁଯୋଗ ପାଇଥିଲି୤ ଘଟଣାଟି ଏହିପରି ଯେ, ଏହି ଅଡ଼ିସନରେ ଗାଇବା ପାଇଁ ଗୁରୁ ଉପେନ୍ଦ୍ର ସାର ମତେ କହିଥିଲେ ଏବଂ ମୁଁ ସେଠାରେ ରାଗ ଭୁପାଲୀରେ ହିଁ ଗାଇଥିଲି୤ ଯେଉଁଟା କି ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଥିଲା ଆଉ ମୁଁ ଅଲ୍‌ ଇଣ୍ଡିଆ ରେଡ଼ିଓ କଳାକାର ଭାବେ ସେହିଠାରେ ହିଁ ମନୋନୀତ ହେଲି୤
Arati Mishra
ଏହାପରେ ୧୯୪୮ ମସିହା ଜାନୁଆରୀ ୨୭ ତାରିଖରେ ଯେବେ ଅଲ୍‌ ଇଣ୍ଡିଆ ରେଡ଼ିଓ କଟକର ଉଦ୍‌ଘାଟନୀ ଉତ୍ସବ ପାଇଁ ଏକ ବିଶେଷ କାର୍ଯ୍ୟକ୍ରମ ହେବାକୁ ନିଷ୍ପତ୍ତି ହୋଇଥିଲା ସେଥିରେ ତିନିଜଣ କଳାକାର ଗାଇବା ପାଇଁ ମନୋନୀତ ହୋଇଥିଲେ୤ ସେମାନଙ୍କ ମଧ୍ୟରେ ମୁଁ ସବୁଠାରୁ ସାନ ଥିଲି ଏବଂ ବିଶିଷ୍ଟ ସମ୍ବାଦ ପାଠକ ଶ୍ରୀଯୁକ୍ତ ଯତୀନ ଦାସ ମତେ ଉକ୍ତ କାର୍ଯ୍ୟକ୍ରମରେ ଗାଇବାକୁ କହିଲେ୤

ଏହା ପରେ ଦେଶର ମହାନ ଜନନାୟକ ମହାତ୍ମାଗାନ୍ଧୀଙ୍କ ମହାପରାୟଣ ମୁହୂର୍ତ୍ତ ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମରେ ମୋତେ ଗାଇବାକୁ ସୁଯୋଗ ମିଳିଥିଲା୤ ଏହା ସଙ୍ଗେ ସଙ୍ଗେ ଅଲ୍‌ ଇଣ୍ଡିଆ ରେଡ଼ିଓର ସାଧାରଣ ବିଭାଗ ପାଇଁ ମୁଁ ଦୁଇଗୋଟି କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲି୤ ତେଣୁ ମୋଟାମୋଟି ଭାବେ ମୋର ପେସାଦାର ଜୀବନର ଆରମ୍ଭ ଏହିଠାରୁ ହିଁ ହୋଇଥିଲା ଏବଂ ସେବେଠୁଁ ମୁଁ ହିନ୍ଦୁସ୍ଥାନୀ, ଶାସ୍ତ୍ରୀୟ କଣ୍ଠସଙ୍ଗୀତ, ଲଘୁ ସଙ୍ଗୀତ ଓ ଓଡ଼ିଶୀ ସଙ୍ଗୀତ ପ୍ରତି ଧ୍ୟାନ ଦେବା ଆରମ୍ଭ କଲି୤

(୩) ଓଡ଼ିଆ ସଙ୍ଗୀତରେ ଥିବା ମୂଲ୍ୟବୋଧ ସମ୍ବନ୍ଧରେ ଆପଣଙ୍କ ମତ ?

ସଙ୍ଗୀତର ମୂଲ୍ୟବୋଧ କ’ଣ ? ମୂଲ୍ୟବୋଧ କହିଲେ ସଙ୍ଗୀତର କେତୋଟି ବିଶେଷ ଦିଗକୁ ସୂଚୀତ କରେ୤ ଯେପରିକି ସ୍ବର, ସଂଯୋଜନା ବା ସଜେଇବା, ତାଳ, ଗୀତ ସ୍ବାଦ ଏବଂ ଶ୍ରୁତିମଧୁରତା ଅଥବା ଆମର ଗୀତିକବିତା ଏ ସବୁକୁ ନେଇ ଯେଉଁ ସଙ୍ଗୀତ ସୃଷ୍ଟି ହେବ ତାହା ହିଁ ଏବେ ସ୍ବୟଂସମ୍ପୂର୍ଣ୍ଣ ସଙ୍ଗୀତର ରୂପରେଖ୤ ଏହା ହିଁ ସବୁ କଣ୍ଠଶିଳ୍ପୀଙ୍କ ଗୁରୁଦାୟିତ୍ବ୤ ସେମାନେ ସମସ୍ତେ ସଙ୍ଗୀତ ବା ଗୀତକୁ ସୃଜନାତ୍ମକ ଢଙ୍ଗରେ ଗାଇବା ଆବଶ୍ୟକ୤ ଏସବୁ ହିଁ ଆମ ଓଡ଼ିଆ ସଙ୍ଗୀତର ମୂଲ୍ୟବୋଧ ହେବା ଦରକାର ବୋଲି ମୁଁ ଭାବୁଛି୤

(୪) ଏହି କ୍ଷେତ୍ରରେ କିଛି ଶୃଙ୍ଖଳା କିମ୍ବା ନୀତିନିୟମ ରହିବା ଉଚିତ୍‌ ବୋଲି ଆପଣ ଭାବୁଛନ୍ତି କି ?

ଏ ସମ୍ବନ୍ଧରେ ମୋର ମତ ଟିକେ ଭିନ୍ନ ହେବ ଯାହା ଅନ୍ୟକୁ ଭଲ ଲାଗି ନପାରେ୤ କଥା ହେଉଛି, ଆଜିର ସମୟରେ ଆମ ସଙ୍ଗୀତର ଶୃଙ୍ଖଳା ବଡ଼ ହାସ୍ୟାସ୍ପଦ ଅବସ୍ଥାରେ ଅଛି୤ ଯାହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ୤ କାରଣ ତାହା ହିଁ ସଙ୍ଗୀତର ମୂଳଦୂଆ, ଯାହା ଉପରେ ଠିଆହୋଇ ଜଣେ କଳାକାର ନିଜ ଭବିଷ୍ୟତ ଗଢ଼ିବ୤ ଏହା ସହିତ ଆମର ସଙ୍ଗୀତ ସ୍ବାଦପୂର୍ଣ୍ଣ ହେବା ଦରକାର୤ କିନ୍ତୁ ଆମେ ଶୃଙ୍ଖଳାକୁ ପଛରେ ପକାଇ ଏହାକୁ ଏକ ବ୍ୟବସାୟିକ ବସ୍ତୁ ଭାବେ ପ୍ରଚାର ପ୍ରସାର କରିଚାଲିଛୁ୤ ତେଣୁ ଶୃଙ୍ଖଳା ଓ ନୀତିନିୟମ ନିହାତି ପ୍ରୟୋଜନ ଅଟେ୤ ତେବେ ଯାଇ ଆମ ସଙ୍ଗୀତକୁ ସୁରକ୍ଷା ଦେଇ ହେବ୤

(୫) ନିଜ ସମସାମୟିକ କଣ୍ଠଶିଳ୍ପୀ ଭାବେ କାହାକୁ ପସନ୍ଦ କରନ୍ତି ଆଉ କାହିଁକି ?

ସମସାମୟିକ କଣ୍ଠଶିଳ୍ପୀ ଭାବ ପ୍ରଥମେ ମୁଁ ସନ୍ଧ୍ୟା ମୁଖୋପାଧ୍ୟାୟଙ୍କୁ ପସନ୍ଦ କରିବି୤ କାରଣ ସେ ତାଙ୍କ ଗାୟନ ଶୈଳୀକୁ ଖୁବ୍‌ ସର୍ଜନାତ୍ମକ ଢଙ୍ଗରେ ପରିବେଷଣ କରନ୍ତି୤ ଦ୍ବିତୀୟରେ ମୁଁ ପସନ୍ଦ କରେ ଆରତୀ ମୁଖୋପଧ୍ୟାୟଙ୍କ କଣ୍ଠସ୍ବର୤ ସେ ମଧ୍ୟ ଜଣେ ଉଚ୍ଚକୋଟୀର ଓ ଶ୍ରୁତିମଧୁର ଗାୟିକା, ଯାହା ମତେ ଖୁବ୍‌ ଆକର୍ଷିତ କରେ୤ ଏହା ବ୍ୟତୀତ ଆମ ଓଡ଼ିଶାର କଣ୍ଠଶିଳ୍ପୀ ତୃପ୍ତି ଦାସ, ଇନ୍ଦ୍ରାଣୀ ମିଶ୍ର, ସିକନ୍ଦର ଆଲାମ୍‌ ଓ ଚିତ୍ତ ଜେନାଙ୍କୁ ମଧ୍ୟ ମୁଁ ଖୁବ୍‌ ପସନ୍ଦ କରେ୤ କାରଣ ଏମାନେ ସମସ୍ତେ ଓଡ଼ିଆ ସଙ୍ଗୀତ ଓ ଗୀତକୁ ଏକ ପୃଥକ୍‌ ଦୃଷ୍ଟିକୋଣ ଦେଇଛନ୍ତି ଯାହା ସର୍ବାଦୃତ୤

(୬) ନିଜ ପସନ୍ଦର ସଙ୍ଗୀତ ବିଷୟରେ କିଛି କୁହନ୍ତୁ ?

ପ୍ରଖ୍ୟାତ ସଙ୍ଗୀତକାର ସ୍ବର୍ଗତ ବାଳକୃଷ୍ଣ ଦାଶଙ୍କ ସମସ୍ତ ଗୀତ ଓ ସଙ୍ଗୀତକୁ ମୁଁ ସବୁଠାରୁ ଅଧିକ ପସନ୍ଦ କରେ୤ କାରଣ ତାଙ୍କ ଗୀତର ଲେଖା, ସଂଯୋଜନା, ଶାସ୍ତ୍ରୀୟତାର ସ୍ପର୍ଶ ଥିବା ଗୀତଗୁଡ଼ିକ ମତେ ଖୁବ୍‌ ଆକର୍ଷିତ କରେ୤

(୭) ଜୀବନରେ ଘଟିଥିବା କୌଣସି ବିଶେଷ ମୁହୂର୍ତ୍ତ ?

(ଦୀର୍ଘଶ୍ବାସ ନେଇ) ହଁ, ସେଇ ୪ ବର୍ଷ ମୁଁ ଖୁବ୍‌ ମାନସିକ ଯନ୍ତ୍ରଣା ପାଇଛି୤ ଯାହା ମତେ ବିଶେଷଭାବେ ମର୍ମାହତ କରିଥିଲା୤ ୨୦୦୧ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ତରଫରୁ ପୁରସ୍କାର ପାଇବା ପାଇଁ ମୋତେ ମନୋନୀତ କରାଯାଇଥିଲା୤ କିନ୍ତୁ ଅତି କ୍ଷୋଭର ସହ କହିବାକୁ ପଡ଼ୁଛି ଯେ, ଉକ୍ତ ପୁରସ୍କାର ପାଇବାରୁ ମୋତେ ବଞ୍ଚିତ କରିବାପାଇଁ ଏକ କୁତ୍ସିତ ଷଡ଼ଯନ୍ତ୍ର କରାଯାଇ ପ୍ରତିରୋଧ କରାଯାଇଥିଲା୤ ଆଉ ଏହାପଛରେ ଥିଲେ ଜଣେ ବିଶିଷ୍ଟ ବ୍ୟକ୍ତି, ଯାହା ମୁଁ ବିଶ୍ବାସ କରିପାରି ନଥିଲି୤ ସେହିବର୍ଷ ଏହି ସମ୍ମାନରୁ ମୋତେ ବଞ୍ଚିତ କରି ପରେ ତାହା ମତେ ୨୦୦୪ ମସିହାରେ ହିଁ ମିଳିଥିଲା୤ ଏହି ଘଟଣା ମତେ ଖୁବ୍‌ ଆଘାତ ଦେଇଥିଲା୤ ଏଇଟି ଥିଲା ମୋ ପାଇଁ ଏକ ଦୁଃଖଦ ଘଟଣା୤ ଆଉ ସୁଖଦ ଘଟଣାଟି ହେଉଛି ୧୯୫୭ ମସିହାରେ ହୋଇଥିବା ସଙ୍ଗୀତ ବିଶାରଦ ପରୀକ୍ଷାରେ ଓଡ଼ିଶାରୁ ମୁଁ ହିଁ ପ୍ରଥମ ହୋଇ ଏକ ତାନପୁରା ଉପହାର ସ୍ବରୁପ ପାଇଥିଲି୤

(୮) ନିଜ ପରିବାର ସମ୍ପର୍କରେ କିଛି କହନ୍ତୁ ୤

ମୋର ବାହାଘର ହୋଇଥିଲା ୧୯୫୭ ମସିହାରେ୤ ସ୍ବାମୀ ଶ୍ରୀଯୁକ୍ତ ଗୋଲକ ବିହାରୀ ମିଶ୍ର୤ ପେଷାରେ ଜଣେ ମାଇନିଂ ଇଞ୍ଜିନିୟର ପ୍ରାଧ୍ୟାପକ, ଆଉ ତିନି ଝିଅଙ୍କୁ ନେଇ ମୋ ସଂସାର୤ ସ୍ବାମୀଙ୍କ ଚାକିରୀ ଯୋଗୁଁ ଆମେ ଖଡ଼ଗପୁରରେ ଥିଲାବେଳେ ପ୍ରଖ୍ୟାତ ସଙ୍ଗୀତଜ୍ଞ ଜେ.ଭି.ଏସ୍‌. ରାଓଙ୍କ ଠାରୁ ମୁଁ ସଙ୍ଗୀତ ଶିକ୍ଷା କରୁଥିଲି୤ ସେ ମୋତେ ଖୁବ୍‌ ସହଯୋଗ କରିଥିଲେ୤ ମୋର ତିନିଝିଅ ସମସ୍ତେ ସଙ୍ଗୀତ କ୍ଷେତ୍ରରେ ପ୍ରବେଶ କରିଛନ୍ତି୤ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଦୁଇଜଣ ଆମେରିକାରେ ଅବସ୍ଥାପିତ ଏବଂ ସେଠାରେ ସେମାନେ ଏକ ସଙ୍ଗୀତ ବିଦ୍ୟାଳୟ ସ୍ଥାପନା କରି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟସଙ୍ଗୀତ ବିଷୟରେ ଶିକ୍ଷା ଦେଉଛନ୍ତି୤ ସ୍ବାମୀ ଆଜି ପର୍ଯ୍ୟନ୍ତ ମତେ ଅନେକ ସହଯୋଗ କରିବା ସହିତ ମୋ ସଙ୍ଗୀତକୁ ଖୁବ୍‌ ସମ୍ମାନ ଦିଅନ୍ତି ଓ ଭଲ ପାଆନ୍ତି ଏବଂ ସେଥିରୁ ଆତ୍ମସନ୍ତୋଷ ଲାଭ କରନ୍ତି୤ ଏବେ ମୁଁ ମୋର ନାତିନାତୁଣୀମାନଙ୍କ ସହ ସମୟ କାଟୁଛି ଏବଂ ସଙ୍ଗୀତ ସାଧାନାରେ ମନ ଦେଉଛି୤

(୯) ଆପଣଙ୍କ ମତରେ ଓଡ଼ିଆ ସଙ୍ଗୀତର ଭବିଷ୍ୟତ ?

ଓଡ଼ିଆ ସଙ୍ଗୀତର ଭବିଷ୍ୟତ ତ ଖୁବ୍‌ ନକରାତ୍ମକ ଲାଗୁଛି ବର୍ତ୍ତମାନ ପରିପ୍ରେକ୍ଷୀରେ୤ କାରଣ ଏହାର ଗତି ବା ସ୍ରୋତ ଏକଦମ୍‌ ବିଯୁକ୍ତାତ୍ମକ ଭଳି ମନେହେଉଛି୤ କେବଳ ପ୍ରଚାର ଓ ପ୍ରସାର ହିଁ ମୁଖ୍ୟ ଉଦ୍ଦେଶ୍ୟ ହୋଇ ଚାଲିଛି୤ ତେଣୁ ଏଭଳି ସ୍ଥିତିରେ ଭବିଷ୍ୟତ ପାଇଁ ଆଉ କ’ଣ ଆଶା କରାଯାଇପାରେ ? ତଥାପି ଅନେକ ଆଶା ନେଇ କିଛି କାର୍ଯ୍ୟ ଚାଲିଛି୤

(୧୦) ଜଣେ କଳାକାର ଭାବେ କିମ୍ବା ନିଜ ବୃତ୍ତିଗତ ଜୀବନକୁ ନେଇ ଆପଣ ସନ୍ତୁଷ୍ଟ କି ?

ନାଁ ସନ୍ତୁଷ୍ଟ ନୁହେଁ୤ ଆହୁରି କିଛି କରିବାକୁ ବାକି ଅଛି ଏବଂ ସବୁ ଇଚ୍ଛା ଏ ସ୍ବଳ୍ପ ସମୟ ମଧ୍ୟରେ ପୂରଣ ହେଇପାରି ନାହିଁ କିମ୍ବା ହେବା ସମ୍ଭବ ମଧ୍ୟ ନୁହେଁ୤

(୧୧) ଆପଣଙ୍କର କିଛି ନୂତନ କୃତି କିମ୍ବା ଗବେଷଣା ବାବଦରେ କୁହନ୍ତୁ ?

ହଁ ବର୍ତ୍ତମାନ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତରେ କିଛି ନୂତନ ସଂଯୋଜନା କରୁଛି୤ ଏହା ସହିତ ନୂତନ ଗବେଷଣା ସହ କିଛି ପୁରାତନ ରାଗଗୁଡ଼ିକୁ ପୁନଃରୁଦ୍ଧାର କରିବାକୁ ଚେଷ୍ଟା କରୁଛି ଏବଂ ‘ବିଦ୍ୟାପତି’ଙ୍କ ଉପରେ ମଧ୍ୟ ମୋର ଏକ ଗବେଷଣାତ୍ମକ କାର୍ଯ୍ୟ ଚାଲୁ ରହିଛି୤

(୧୨) ଆପଣ ଏପରି ଏକ ବସ୍ତୁ/ଗୁଣ/ଅବସ୍ଥା ବିଷୟରେ କୁହନ୍ତୁ ଯାହାକୁ ଆପଣ ଘୃଣା କରନ୍ତି ?

ବେସୁରା ସ୍ବର୤ ଏହା ମୁଁ କଦାପି ସହ୍ୟ କରିପାରେନି୤

(୧୩) ଆପଣ ନୂତନ ପିଢ଼ୀର ସଙ୍ଗୀତ ସାଧକମାନଙ୍କ ପାଇଁ କୌଣସି ପରାମର୍ଶ ଦେବେ କି ?

ବର୍ତ୍ତମାନ ତ ଅନେକ ନୂତନ ପ୍ରତିଭାଙ୍କ ଆବିର୍ଭାବ ହେଉଛି୤ ତେବେ ମୋର ସେମାନଙ୍କୁ ଉପଦେଶ ହେଉଛି, ସେମାନେ ନିଜ ସାଧନାକୁ ପ୍ରଥମେ ଗୁରୁତ୍ବ ଦିଅନ୍ତୁ୤ କାରଣ ସାଧନା ହିଁ ମୂଳମନ୍ତ୍ର୤

ଶ୍ରୀମତୀ ଆରତୀ ମିଶ୍ରଙ୍କ ସହିତ ଓଡ଼ିଆ ମ୍ୟୁଜିକ୍‌ ଡଟ୍‌ କମ୍‌ର ପ୍ରତିନିଧି ବିଶ୍ବରୂପ ଦାଶଙ୍କ ଭୁବନେଶ୍ୱରଠାରେ ସ୍ବତନ୍ତ୍ର ସାକ୍ଷାତକାର

ସଂଗୃହିତ ଗୀତରୁ କିଛି ଶୁଣନ୍ତୁ
To Mandira Chhadi Jauchi Kaalia  ( Year :  )
Singer(s):  Arati Mishra
Lyricist :  Natabara Samantaray Music Director :  Arati Mishra
Na Maara Na Maara Sakha  ( Year :  )
Singer(s):  Arati Mishra
Lyricist :  Music Director : 
Kala Shrimukha He Balaibi Kee Paeen  ( Year :  1979 )
Singer(s):  Arati Mishra
Lyricist :  Arthabandhu Dash Music Director :  Arati Mishra
Keteje Bedana Deuchha Prabhu He  ( Year :  )
Singer(s):  Arati Mishra
Lyricist :  Golaka Bihari Mishra Music Director :  Arati Mishra
Ki Rupe Pujibi Maa Go  ( Year :  1979 )
Singer(s):  Arati Mishra
Lyricist :  Golaka Bihari Mishra Music Director :  Arati Mishra
 

One Response

  1. Golok Bihari Nanda says:

    ମୁଁ ଟି.ଭି.ରେ ଆରତି ମିଶ୍ରଙ୍କ ସାକ୍ଷାତକାର୍ ଦେଖିଛି ଓ ଶୁଣିଛି୤


Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing