Share :

ଭୁବନେଶ୍ବର: ଓଡ଼ିଶା ହିନ୍ଦୁସ୍ଥାନୀ କଳାକାର ସଂଘ ପକ୍ଷରୁ ଭୁବନେଶ୍ବର ସୂଚନା ଭବନଠାରେ ତିନିଦିନିଆ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଉତ୍ସବ ଚଳିତ ମାସ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି୤ ଉତ୍ସବର ପ୍ରଥମ ଦିନରେ ଗୁରୁଶ୍ରୀ କରୁଣାକର ନାୟକ ଏକକ କଣ୍ଠ ସଙ୍ଗୀତରେ ରାଗ-ଭୂପାଲୀରେ ବିଳମ୍ବିତ କ୍ଷେୟାଲ୍‌, ଦୃତ୍‌ କ୍ଷେୟାଲ୍‌ ଏବଂ ତରାନା ପରିବେଷଣ କରିଥିଲେ୤ ଏହାପରେ ସେ ନାଦ ମହର୍ଷି ପଣ୍ଡିତ ବଳବନ୍ତ ରାୟ ଭଟ୍ଟଙ୍କ ରଚନାରେ ଆଉ ଏକ ବନ୍ଦୀସ(ଗୀତ) ଗାଇଥିଲେ୤ ତାଙ୍କ ସହିତ ତବଲାରେ ଥିଲେ ଗୁରୁଶ୍ରୀ ବିଜୟ କୁମାର ଦାସ ଏବଂ ହାରମୋନିୟମ୍‌ରେ ଥିଲେ ଗୁରୁଶ୍ରୀ କୁଞ୍ଜ ବିହାରୀ ନାୟକ୤ କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଗୁରୁଶ୍ରୀ ସନ୍ଦୀପ କୁମାର ରାଉଳ ରାଗ ମାଲ୍‌କୋଷ ଆଧାରରେ ସରୋଦ ବାଦନ କରିଥିଲେ ଓ ତାଙ୍କ ସହ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ କୁଳମଣି ସାହୁ୤ ପରେ ଗୁରୁଶ୍ରୀ ଚିତ୍ତରଞ୍ଜନ ମହାପାତ୍ର ତାଲ୍‌-ତ୍ରିତାଲରେ ଏକକ ତବଲା ବାଦନ କରିଥିଲେ୤ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଏକକ ସଙ୍ଗୀତରେ ରାଗ ବାଗେଶ୍ରୀରେ ବିଳମ୍ବିତ କ୍ଷେୟାଲ୍‌ ଓ ଦୃତ କ୍ଷେୟାଲ୍‌ ପରିବେଷଣ କରିଥିଲେ ପ୍ରତିମା ରାଣୀ ପଣ୍ଡା୤ ଏଥିରେ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ଉଚ୍ଛବ ଚରଣ ସ୍ବାଇଁ ଓ ହାରମୋନିୟମ୍‌ରେ ଥିଲେ ଗୁରୁଶ୍ରୀ ବାଳକୃଷ୍ଣ ବେହେରା୤ ଏହାପରେ ଗୁରୁଶ୍ରୀ ବିଶ୍ବନାଥ ମହାରଣା ତବଲା ବାଦନ କରିଥିବାବେଳେ ତାଙ୍କୁ ହାର୍‌ମୋନିୟମ୍‌ରେ ସହଯୋଗ କରିଥିଲେ ଗୁରୁଶ୍ରୀ ପ୍ରଣୟ ପଲାଇ୤ ପ୍ରଥମ ଦିନର ଅନ୍ତିମ ପର୍ଯ୍ୟାୟରେ ଏକକ ବଂଶୀ ବାଦନ ପରିବେଷଣ କରିଥିଲେ ଗୁରୁଶ୍ରୀ ପରଶୁରାମ ଦାସ ଓ ତାଙ୍କ ସହ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ବିଶ୍ବରଞ୍ଜନ ନନ୍ଦ୤ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଅର୍ଜ୍ଜୁନ ଚରଣ ସାମଲ ଏବଂ ସମ୍ପାଦକ ହରିହର ରଥ ଉପସ୍ଥିତ ଥିଲେ୤ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ୤

କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପ୍ରଥମେ ଗୁରୁଶ୍ରୀ କୁଞ୍ଜବିହାରୀ ନାୟକ ଏକକ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ୤ ତାଙ୍କ ଦ୍ବାରା ରାଗ ମାଲ୍‌କୋଷରେ ପରିବେଷିତ ବିଳମ୍ବିତ କ୍ଷେୟାଲ ଓ ଦୃତ୍‌ କ୍ଷେୟାଲ ସ୍ରୋତା ମୁଗ୍ଧ ହୋଇଥିଲେ୤ ଶିଳ୍ପୀଙ୍କ ସହ ତବଲାରେ ଥିଲେ ଗୁରୁଶ୍ରୀ ବିଜୟ କୁମାର ଦାସ ଏବଂ ହାରମୋନିୟମରେ ଗୁରୁଶ୍ରୀ ବାଳକୃଷ୍ଣ ବେହେରା ଅଂଶ ଗ୍ରହଣ କରିଥିଲେ୤ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଗୁରୁଶ୍ରୀ ଜୀବନ ପ୍ରକାଶ ଦାସଙ୍କ ସୀତାର ବାଦନ ସମସ୍ତଙ୍କୁ ଆକୃଷ୍ଟ କରିଥିଲା୤ ଏଥିରେ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ଦେବାନନ୍ଦ ସୁତାର୤ ତୃତୀୟ ପର୍ଯ୍ୟାୟରେ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ମାନସୀ ରାଣୀ ସାମଲ୤ ରାଗ କଲ୍ୟାଣରେ ବିଳମ୍ବିତ କ୍ଷେୟାଲ୍‌ ଓ ଦୃତ କ୍ଷେୟାଲ୍‌ ଆଧାରରେ ମାନସୀ ଏକକ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ୤ ଏଥିରେ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ରତ୍ନାକର ପୃଷ୍ଟି ଏବଂ ହାରମୋନିୟମ୍‌ରେ ଥିଲେ ଗୁରୁଶ୍ରୀ ବାଳକୃଷ୍ଣ ବେହେରା୤ ଚତୁର୍ଥ ପର୍ଯ୍ୟାୟରେ ଗୁରୁଶ୍ରୀ ବିଜୟ କୁମାର ଦାସ ଏକକ ତବଲା ବାଦନ କରିଥିଲେ୤ ସେ ତାଲ୍‌ ବିଳମ୍ବିତରେ ତ୍ରିତାଲ ଏବଂ ମଧ୍ୟଲୟ ପରିବେଷଣ କରିଥିଲାବେଳେ ତାଙ୍କୁ ହାରମୋନିୟମ୍‌ରେ ସହଯୋଗ କରିଥିଲେ ଗୁରୁଶ୍ରୀ କୁଞ୍ଜବିହାରୀ ନାୟକ୤ ପଞ୍ଚମ ପର୍ଯ୍ୟାୟରେ ଗୁରୁଶ୍ରୀ ପ୍ରଣୟ କୁମାର ପଲାଇ ଏକକ ସଙ୍ଗୀତ ଗାନ କରିଥିଲେ୤ ଏଥିରେ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ବିଶ୍ବନାଥ ମହାରଣା୤ ଦ୍ବିତୀୟ ଦିନ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଗୁରୁଶ୍ରୀ ଅମିତ କୁମାର ରଥ ଏକକ ବେହେଲା ବାଦନ କରିଥିଲେ ଓ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ବିଶ୍ବରଞ୍ଜନ ନନ୍ଦ୤

ସଙ୍ଗୀତ ସନ୍ଧ୍ୟାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ବିପିନୀ ବିହାରୀ ମିଶ୍ର୤ ଏଥିରେ ରାଗ ବିହାର ମାଧ୍ୟମରେ ପ୍ରଥମେ ମଞ୍ଚକୁ ଆସିଥିଲେ ଗୁରୁଶ୍ରୀ ଚନ୍ଦନ କୁମାର ଜେନା୤ ସେ ଏକକ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ୤ ଦ୍ବିତୀୟ ପର୍ଯ୍ୟାୟରେ ଗୁରୁଶ୍ରୀ ବିଶ୍ବମୋହନ ମିଶ୍ର ଏକକ ଗୀଟାର ବାଦନ କରିଥିଲେ୤ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ବିଶ୍ବରଞ୍ଜନ ନନ୍ଦ୤ ତୃତୀୟ ପର୍ଯ୍ୟାୟରେ ଗୁରୁଶ୍ରୀ ବାଳକୃଷ୍ଣ ବେହେରା ରାଗ ମଧୁବନ୍ତୀରେ ବିଲମ୍ବିତ କ୍ଷେୟାଲ୍‌ ଓ ଦୃତ କ୍ଷେୟାଲ୍‌ରେ ସୁଲଳିତ ଏକକ କଣ୍ଠରେ ସଙ୍ଗୀତ ପରିବେଷଣ କରିଥିଲେ୤ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ଉଚ୍ଛବ ଚରଣ ସ୍ବାଇଁ୤ ଚତୁର୍ଥ ପର୍ଯ୍ୟାୟରେ ଗୁରୁଶ୍ରୀ କୁଳମଣୀ ସ୍ବାଇଁ ଏକକ ତବଲା ବାଦନ କରିଥିଲେ୤ କାର୍ଯ୍ୟକ୍ରମର ପଞ୍ଚମ ପର୍ଯ୍ୟାୟ ଥିଲା ଖୁବ୍‌ ଆକର୍ଷଣୀୟ୤ ଏଥିରେ ଗୁରୁଶ୍ରୀ ହରିହର ରଥ ରାଗ ସରସ୍ବତୀ ଆଧାରରେ ଏକକ କଣ୍ଠ ସଙ୍ଗୀତ ପରିବେଷଣ କରିଥିଲେ୤ ଏଥିରେ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ବିଜୟ କୁମାର ଦାସ ଓ ହାରମୋନିୟମ୍‌ରେ ସହାୟତା କରିଥିଲେ ଗୁରୁଶ୍ରୀ ଅମିତ କୁମାର ରଥ୤ ଉଦ୍‌ଯାପନୀ ଉତ୍ସବର ଶେଷ କାର୍ଯ୍ୟକ୍ରମରେ ଗୁରୁଶ୍ରୀ ଜବାହାର ମିଶ୍ର ବଂଶୀ ବାଦନ କରିଥିଲେ ଓ ତାଙ୍କୁ ତବଲାରେ ସହଯୋଗ କରିଥିଲେ ଗୁରୁଶ୍ରୀ ସନ୍ଦୀପ ରାଉତ୤

ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସାଧନା କେତେ କଷ୍ଟ, ଏହାକୁ ଯିଏ ସାଧିଛି ସେ ହିଁ ଜାଣିଛି୤ ଏହି କଷ୍ଟସାଧ୍ୟ କାର୍ଯ୍ୟ କରୁଥିବା ଶିଳ୍ପୀମାନଙ୍କୁ ଅଣଦେଖା କରାଯାଉଛି୤ ପ୍ରୋତ୍ସାହନ ଅଭାବରୁ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତରେ ସାଧନାରତ ଗୁରୁମାନେ ଅବହେଳିତ ହେଉଛନ୍ତି୤ ଫଳରେ ଧିରେ ଧିରେ ସାଧନାରୁ ବିରତ ହୋଇ ଜୀବନଯାପନ କରିବା ପାଇଁ ସେମାନେ ଅନ୍ୟ ପନ୍ଥା ଅବଲମ୍ବନ କରୁଛନ୍ତି୤ ଯଦି ଓଡ଼ିଶାର ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ କଳାକାରଙ୍କୁ ଅଧିକ ସୁଯୋଗ ଓ ପ୍ରୋତ୍ସାହନ ମିଳନ୍ତା ତେବେ ସେମାନେ ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଅଧିକ ପ୍ରତିଷ୍ଠା ଲାଭ କରିପାରନ୍ତେ ବୋଲି ଉକ୍ତ ଉତ୍ସବର ବିଭିନ୍ନ ଦିନରେ ଯୋଗଦେଇଥିବା ଅତିଥି ଓ ବକ୍ତାମାନେ ମତ ଦେଇଥିଲେ୤ ଉକ୍ତ ତିନିଦିନିଆ କାର୍ଯ୍ୟକ୍ରମକୁ ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ୤ ଭୁବନେଶ୍ବର ସହରରେ ତିନିଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କଳା ଓ ସଙ୍ଗୀତପ୍ରେମୀ ଦର୍ଶକ ଉପସ୍ଥିତ ଥିଲେ୤

 

Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing