ରାଉରକେଲା: ପ୍ରଥମ ଥର ପାଇଁ ଇସ୍ପାତ ସହର ରାଉରକେଲାଠାରେ ରାଜ୍ୟସ୍ତରୀୟ ତିନିଦିନିଆ ଓଡ଼ିଶୀ ସଙ୍ଗୀତ ଉତ୍ସବ-୨୦୧୪ ଅନୁଷ୍ଠିତ ହୋଇଯାଇଛି ଚଳିତମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପର୍ଯ୍ୟଟନ ଏବଂ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ସ୍ଥାନୀୟ ଭଞ୍ଜ କଳା କେନ୍ଦ୍ର ସହଯୋଗରେ ଭଞ୍ଜଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି ଏହି ଅବସରରେ ଆରଏସ୍ପି ନିର୍ବାହୀ ନିର୍ଦ୍ଦେଶକ ମଞ୍ଜୁସକାନ୍ତି ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶୀ ସଙ୍ଗୀତର ଏକ ମହାନ ପରମ୍ପରା ରହିଛି ଓ ଏହା ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବୋଲି କହିଥିଲେ ସମ୍ପ୍ରତି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ବିଶ୍ବ ଦରବାରରେ ପରିଚିତ ହୋଇ ଦିନକୁ ଦିନ ଅଧିକ ଲୋକପ୍ରିୟ ହେଉଥିବାରୁ ରାଜ୍ୟର କଳା ଓ ସଂସ୍କୃତିର ରାଜଧାନୀ ଭାବେ ପରିଚିତ ରାଉରକେଲାରେ ଏହିପରି ଏକ ଉତ୍ସବ ଅନୁଷ୍ଠିତ ହେବା ଗୌରବର ବିଷୟ ବୋଲି ଶ୍ରୀ ଦାସ କହିଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ସମ୍ପାଦକ ଚିତ୍ତରଞ୍ଜନ ମଲିଆ ଉଦ୍ଯାପନୀ ସନ୍ଧ୍ୟାର ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ରାଉରକେଲାର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ସହଯୋଗରେ ଆୟୋଜିତ ଉକ୍ତ ଉତ୍ସବର ସଫଳତା ପାଇଁ ଆୟୋଜକମାନଙ୍କୁ ସାଧୁବାଦ ଦେଇଥିଲେ
ଉକ୍ତ ସଙ୍ଗୀତ ଉତ୍ସବର ବିଭିନ୍ନ ସନ୍ଧ୍ୟାରେ ପୁରୀର ପୁରାତନୀ କଳା ମନ୍ଦିର ଅନୁଷ୍ଠାନ ଓ ସଙ୍ଗୀତ ଶିଳ୍ପୀ ଗୁରୁ ଚନ୍ଦ୍ରମଣି ଲେଙ୍କା, ଭୁବନେଶ୍ବରର ପ୍ରଖ୍ୟାତ ମାର୍ଦ୍ଦଳ ବାଦକ ଡ.ଜଗନ୍ନାଥ କୁଅଁର ଓ ଗୁରୁ ଧନେଶ୍ବର ସ୍ବାଇଁଙ୍କ ସମେତ କଣ୍ଠଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ ଓ ସଙ୍ଗୀତା ପଣ୍ଡା, ବାଲେଶ୍ବରରୁ ଆସିଥିବା କଣ୍ଠଶିଳ୍ପୀ ମାତୃପ୍ରସାଦ ଦାସ, କଟକରୁ କଣ୍ଠଶିଳ୍ପୀ ଅଖିଳ କୁମାର ଲେଙ୍କାଙ୍କ ସହିତ ପିପିଲିରୁ ଆସିଥିବା ଓଡ଼ିଶୀ ସଙ୍ଗୀତ ବିଶାରଦ ସର୍ବେଶ୍ବର ବଇଠାରୁ ଭିନ୍ନଭିନ୍ନ ସଙ୍ଗୀତ ପରିବେଷଣ କରିଥିଲେ ଏହା ବ୍ୟତୀତ ଇସ୍ପାତ ସହରର ପ୍ରମୁଖ ସଙ୍ଗୀତ ଅନୁଷ୍ଠାନ ଭଞ୍ଜ କଳାକେନ୍ଦ୍ର ଓ ମ୍ୟୁଜିକ୍ ସର୍କଲ୍ର କଳାକାରଙ୍କ ସମେତ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ବୀଣାପାଣି ରଥ, ଆଶାଲତା ଷଡ଼ଙ୍ଗୀ ଓ ବେହେଲା ବାଦକ ଶରତ ଧଳ ପ୍ରମୁଖ ମଧ୍ୟ ଉକ୍ତ ଉତ୍ସବରେ ସଙ୍ଗୀତ ପରିବେଷଣ କରି ଉପସ୍ଥିତ ସଙ୍ଗୀତପ୍ରେମୀ ସ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ
ଭଞ୍ଜ କଳାକେନ୍ଦ୍ରର ସାଧାରଣ ସମ୍ପାଦକ ରାଧାକୃଷ୍ଣ ମହାପାତ୍ରଙ୍କ ସମେତ ଅନ୍ୟ ସଦସ୍ୟ ଓ କର୍ମକର୍ତ୍ତାମାନଙ୍କ ସକ୍ରିୟ ସହଯୋଗରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ରାଉରକେଲା ଏବଂ ଆଖପାଖରୁ ଅନେକ ସଙ୍ଗୀତପ୍ରେମୀ ଦର୍ଶକ ଉପସ୍ଥିତ ରହି ପ୍ରତିଦିନର ସଙ୍ଗୀତ ସନ୍ଧ୍ୟାକୁ ଉପଭୋଗ କରିଥିଲେ
Thank you for this event. Suggest we do these types of events in other cities of Odisha as well.