Share :

ଭୁବନେଶ୍ବର: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ତ୍ରିଦିବସୀୟ ସମକାଳ ନୃତ୍ୟଉତ୍ସବ-୨୦୧୩ ଗତକାଲି ରାତ୍ରିରେ ଉଦ୍‌ଯାପିତ ହୋଇଯାଇଛି୤ ତିନିଦିନଧରି ଅନୁଷ୍ଠିତ ଏହି ନିଆରା ନୃତ୍ୟଉତ୍ସବର ପ୍ରତି ସନ୍ଧ୍ୟାରେ ଅଦ୍ଭୁତ ଅଙ୍ଗଭଙ୍ଗୀ ସହିତ ସାମ୍ପ୍ରତିକ ସାମାଜିକ ବିଷୟ ଉପରେ ଆଧାରିତ ନୃତ୍ୟଗୁଡ଼ିକରେ ପ୍ରଦର୍ଶିତ ଆକର୍ଷଣୀୟ ନୃତ୍ୟଶୈଳୀ ସହିତ ଭାବଭଙ୍ଗୀ ତାଳେ ତାଳେ ଓ ରଙ୍ଗୀନ ଆଲୋକର ନାଚରେ ଉପସ୍ଥିତ ସ୍ରୋତା ବିମୁଗ୍ଧ ହୋଇଥିଲେ୤ ୧୧ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଦିନରେ ଚେନ୍ନାଇରୁ ଆସିଥିବା ପଦ୍ମୀନୀ ଚେତ୍ତୁରଙ୍କ ‘ସୁନ୍ଦର ବସ୍ତୁ-୨’ ଶୀର୍ଷକ ନୃତ୍ୟରେ ଶରୀରକୁ ତାଳ ବା ସମୟ ସହିତ କେନ୍ଦ୍ରିତ କରି ବିଭିନ୍ନ ଅଙ୍ଗର ସଂଯୋଜନା ବେଶ୍‌ ଚମତ୍କାର ହୋଇଥିଲା୤ ସେହିପରି ପ୍ରଥମ ଦିନରେ କଲିକତାରୁ ଆସିଥିବା ନୃତ୍ୟାଙ୍ଗନା ଆଶାବରୀ ମଜୁମ୍‌ଦାର ଓ ସାଥୀଙ୍କ ଦ୍ବାରା ପୌରାଣିକ ଚରିତ୍ର ସୁପର୍ଣ୍ଣଖା ଉପରେ ଆଧାରିତ ପାରମ୍ପରିକ କଥକ ନୃତ୍ୟ ଶୈଳୀ ପ୍ରଦର୍ଶନରେ ଦର୍ଶକମାନେ ମନ୍ତ୍ରମୁଗ୍‌ଧ ହୋଇଥିଲେ୤

ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଚେନ୍ନାଇର ପ୍ରଖ୍ୟାତ ନୃତ୍ୟାଙ୍ଗନା ଅନୀତା ରତ୍ନମଙ୍କ ‘ସୀତା’ ଶୀର୍ଷକ ନୃତ୍ୟରେ ନାରୀର ତିନୋଟି ଭୂମିକା ଉପରେ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନରେ ଦର୍ଶକ ବିଭୋର ହୋଇଥିଲେ୤ ଏହି ସନ୍ଧ୍ୟାର ଦ୍ବିତୀୟ ପ୍ରସ୍ତୁତି ମୁମ୍ବାଇରୁ ଆସିଥିବା ଆସ୍ତାଦ୍‌ ଦେବୁ ଓ ସାଥୀଙ୍କ ଦ୍ବାରା ପ୍ରଦର୍ଶିତ ‘ସମର୍ପଣ’ ଶୀର୍ଷକ ନୃତ୍ୟରେ ଭକ୍ତର ସମର୍ପଣ ଭାବନା ଓ ‘ଜାଗ୍ରତୋକ୍ତି’ ଶୀର୍ଷକ ନୃତ୍ୟରେ ବିଶ୍ବ ଦର୍ଶନ ଓ ଭାତ୍ରୁବାଦ ସହିତ ନିଜ ସହ ନିଜେ ଚାଲ ର ବାର୍ତ୍ତା ପ୍ରଚାରିତ ହୋଇଥିଲା୤ ଦ୍ବିତୀୟ ଦିନର ନୃତ୍ୟ ପ୍ରଦର୍ଶନର ବିଶେଷ ଆକର୍ଷଣ ଥିଲା ରଙ୍ଗୀନ ଆଲୋକର ନାଚ ସହିତ ନୃତ୍ୟରେ ଦର୍ଶକ ରୋମାଞ୍ଚିତ ହୋଇଥିଲେ୤

ତୃତୀୟ ତଥା ଉଦ୍‌ଯାପନୀ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ନୂଆଦିଲ୍ଲୀରୁ ଆସିଥିବା ନବତେଜ୍‌ ଜୋହରଙ୍କ ଦ୍ବାରା ପ୍ରଦର୍ଶିତ ‘ଦ୍ରବ୍ୟ କାୟା’ ଶୀର୍ଷକ ନୃତ୍ୟ୤ ଏଥିରେ ବସ୍ତୁ ସହିତ ଶରୀରର ଅନ୍ତରଙ୍ଗ ସମ୍ପର୍କ ବାବଦରେ ବାର୍ତ୍ତା ଦିଆଯାଇଥିଲା୤ ସେହିପରି ଉତ୍ସବର ଶେଷ ପ୍ରଦର୍ଶିତ ନୃତ୍ୟ ଥିଲା ମାଲେସିଆରୁ ଆସିଥିବା ରାମ୍‌ଲି ଇବ୍ରାହିମ୍‌ ଓ ସାଥୀଙ୍କ ଦ୍ବାରା ପ୍ରସ୍ତୁତ ‘ରୂପାନ୍ତରମ୍‌’ ଓ ‘କମଳା’ ଆଦି ଶୀର୍ଷକ ନୃତ୍ୟ୤ ଏଥିରେ ଆନନ୍ଦ ଓ ସୌନ୍ଦର୍ଯ୍ୟ ସହିତ ବିଶ୍ବ ଦର୍ଶନର ବାର୍ତ୍ତା ପ୍ରଚାରିତ ହୋଇଥିଲା୤

ତିନିଦିନଧରି ଅନୁଷ୍ଠିତ ଉକ୍ତ ନୃତ୍ୟଉତ୍ସବରେ ସମକାଳୀନ ଓ ଆଧୁନିକ ଧାରାର ନୃତ୍ୟମାଧ୍ୟମରେ ବିଭିନ୍ନ ଭାବଧାରା ବାବଦରେ ବାର୍ତ୍ତାର ପ୍ରଚାର ହୋଇଥିଲା୤ ସମସ୍ତ କାର୍ଯ୍ୟକ୍ରମକୁ ଡ.ଶ୍ରୀନିବାସ ଘଟୁଆରୀ ଓ ସଂହତି ପାଣି ସଂଯୋଜନା କରିଥିଲାବେଳେ ପ୍ରତିଦିନ ସଂଧ୍ୟାରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମୁଖ୍ୟ ସଚିବ ଅଶୋକ କୁମାର ତ୍ରିପାଠୀ, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସୁଶିଲ୍ ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ତଥା ବରିଷ୍ଠ କଳାକାର ଶରତ ପୁଜାରୀ, ଏକାଡେମୀର ଉପସଭାପତି, ସଚିବଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ୤ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଆୟୋଜିତ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ରରେ ଆଧୁନିକ ନୃତ୍ୟାଙ୍ଗନା ତଥା ନୃତ୍ୟ ନିର୍ଦ୍ଦେଶିକା ଉତ୍ତରାଆଶା କରଲାୱାଲା ସମକାଳୀନ ନୃତ୍ୟର ଇତିହାସ, ବିବର୍ତ୍ତନ ଓ ବର୍ତ୍ତମାନ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ୤ ଏଥିରେ ବହୁ ଗବେଷକ, ନୃତ୍ୟାଙ୍ଗନା ଓ କଳାପ୍ରେମୀ ବ୍ୟକ୍ତିଗଣ ଯୋଗଦେଇଥିଲେ୤ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦ୍ବିତୀୟ ଥର ପାଇଁ ଆୟୋଜିତ ସମକାଳ ନୃତ୍ୟଉତ୍ସବ ଦର୍ଶକମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଆଣିଦେଇଥିଲା୤

 

One Response

  1. Rashmin Kumar Mahapatra says:

    By informing all of us about the Odisha Sangeet Natak Academy’s contemporary dance function, Odiamusic.com is doing yomen’s service for Odia culture. As odiamusic.com is catching more numbers of eyeballs than the odisha govt.’s Sahitya Academy can reach- You deserve appreciation.

    Keep it up please.


Speak Your Mind ( Tell us what do you think)

କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤

Keyboard help for Odia typing